ଅଧରାତିରେ ଲୁଟ୍ ଉଦ୍ୟମ ବେଳେ ଚୋରଙ୍କୁ ଚକମା ଦେଲେ ବ୍ୟବସାୟୀ । ଲୁଟେରାଙ୍କୁ କାବୁ କଲା ପୋଲିସ, ୨୦ ଦିନରେ ରାଜଧାନୀରେ ୫୦ ଟପିଲା ଛିନତାଇ ।

423

କନକ ବ୍ୟୁରୋ : ରାଜଧାନୀରେ ରାତି ଅଧରେ ଲୁଟେରାଙ୍କ ରାଜ । ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କୁ ବାଇକରେ ଫଲୋ କରିଥିଲେ କିଛି ଲୁଟେରା । ହେଲେ ବ୍ୟବସାୟୀ ଜଣଙ୍କ ସାହସର ସହ ଲୁଟେରାମାନଙ୍କୁ ମୁକାବିଲା କରିଥିଲେ । ଶେଷରେ ପୋଲିସ ଧରିଥିଲା ସେହି ଲୁଟେରାମାନଙ୍କୁ । ଫେଲ ମାରିଥିଲା ଲୁଟେରାଙ୍କ ନାଇଟ ଅପରେସନ୍ । ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା ।

ତାରିଖ-୨୧ ଜୁନ ୨୦୧୯ । ସମୟ-ରାତି ପ୍ରାୟ ୧୨ଟା । ସିଆରପି ଛକରୁ ସହିଦ ନଗର ଆସୁଥିଲେ ବ୍ୟବସାୟୀ ବିକ୍ରମ କେଶରୀ ଧଳ । କିଛି ସାଙ୍ଗଙ୍କ ସହିତ କାରରେ ଫେରୁଥିଲେ ବିକ୍ରମ । ହଠାତ କାର ଉପରକୁ ହେଲା ଢେଲାମାଡ । କିଛି ବୁଝିବା ଆଗରୁ କାରକୁ ୩ଟି ବାଇକରେ ଫଲୋ କରୁଥିଲେ ୭ ଲୁଟେରା । ସେମାନଙ୍କ ହାତରେ ଥିଲା ଖଣ୍ଡା, କାତି ଭଳି ମାରଣାସ୍ତ୍ର । ଜୀବନ ବିକଳରେ କାରର ସ୍ପିଡ ବଢାଇ ସହିଦ ନଗର ଯିବେ କଣ ଫ୍ଲାଇଓଭର ଦେଇ କଟକ ମୁହାଁ ହୋଇଥିଲେ । କାରର ସ୍ପିଡ ସହିତ ବାଇକର ସ୍ପିଡ ମଧ୍ୟ ବଢିଥିଲା । ଆଉ ବିକ୍ରମଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁବୃର୍ତ ।

ମଂଚେଶ୍ୱର ଫ୍ଲାଏଓଭର ଉପରେ ପାଟ୍ରୋଲିଂରେ ଥିବା ପିସିଆର ଭ୍ୟାନକୁ ଦେଖି ସାହସ ଜୁଟାଇଥିଲେ ବିକ୍ରମ । ଆଉ ଗାଡିଟିକୁ ପିସିଆର ପାଖରେ ଲଗାଇ ଡାଏଲ ୧୦୦କୁ ଫୋନ ମଧ୍ୟ କରିଥିଲେ । ଗାଡି ରଖିବା ମାତ୍ରେ ନିଶାଖୋର ଲୁଟେରାମାନେ ପୋଲିସ ଉପସ୍ଥିତିରେ ନିଜର ଅପରେସନ ଆରମ୍ଭ କରିଦେଇଥିଲେ । ହଠାତ ଆଉ ୪ଟି ପିସିଆର ଘଟଣାସ୍ଥଳରେ ପହଂଚିବା ପରେ ଲୁଟେରାମାନଙ୍କୁ କାବୁ କରିନେଇଥିଲେ ।

ରାଜଧାନୀରେ ଏବେ ଉପରମୁହାଁ ଲୁଟେରା । ଯାହାକୁ ଯୋଉଠି ପାଉଛନ୍ତି ଲୁଟିପକାଉଛନ୍ତି । ନା ଡର ଅଛି ଲୋକଙ୍କୁ ନା ପରୱା ଅଛି ପୋଲିସକୁ । ଗତ ୨୦ଦିନ ଭିତରେ ୫୦ରୁ ଅଧିକ ଲୁଟ କରି ରେକର୍ଡ କରିଛନ୍ତି ଲୁଟେରା । ହେଲେ ଏବେ ବି ପୋଲିସ ହାତ ଖାଲି । ଆଗକୁ ଏହି ଅପରାଧ ରୋକିବା ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି, ଏବେ ତାକୁ ହିଁ ଅପେକ୍ଷା ।