ରଥ ଗଡିଲେ ମନ୍ଦିର ଗଡିବାର ଭ୍ରମ ସୃଷ୍ଟି ହୁଏ । ଜାଣନ୍ତୁ ବ୍ରହ୍ମ ତାଳଧ୍ୱଜ ରଥ ପଛର ପୂରା କାହାଣୀ

167

କନକ ବ୍ୟୁରୋ : ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୁରୀ ଭଳି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ମଧ୍ୟ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । କାରଣ ଏଠାକାର ରଥଯାତ୍ରା ମଧ୍ୟ ପୁରୀ ରଥଯାତ୍ରା ଭଳି ସ୍ୱତନ୍ତ୍ର । ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ବଳଦେବଜିଉଙ୍କୁ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସନ୍ତି କେନ୍ଦ୍ରାପଡା । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଦୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ବଳଦେବଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ।

ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ହେଉଛନ୍ତି ଶ୍ରୀ ଶ୍ରୀ ବଳଦେବଜିଉ । ବଡଭାଇ ବଳଦେବଜିଉ କନ୍ଦରା ନାମକ ଏକ ରାକ୍ଷସକୁ ହତ୍ୟା କରି ତାଙ୍କ ପାଳିତ କନ୍ୟା ତୁଳସୀକୁ ବିବାହ କରିଥିବାରୁ କେନ୍ଦ୍ରାପଡାକୁ ତୁଳସୀ କ୍ଷେତ୍ର ଭାବେ ଅଭିହିତ କରାଯାଇଥାଏ । ଏଣୁ କେନ୍ଦ୍ରାପଡାରେ ପ୍ରଭୁ ବଳଦେବଜିଉ ରହୁଥିବାରୁ ଏହି କ୍ଷେତ୍ରରେ ପ୍ରତିବର୍ଷ ରଥଯାତ୍ରା ବେଶ ଧୂମଧାମରେ ପାଳନ କରାଯାଏ । ଅନ୍ୟ ସ୍ଥାନରେ ଶ୍ରୀଜିଉଙ୍କ ପାଇଁ ତିନୋଟି ରଥ ନିର୍ମାଣ କରା ଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଏକମାତ୍ର ରଥ ନିର୍ମାଣ କରାଯାଇଥାଏ । ଯେଉଁଥିରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଥାନ୍ତି ।

ପ୍ରଭୁ ବଳଦେବଜିଉ ଦାରୁ ବିଗ୍ରହ ନହୋଇ ବ୍ରହ୍ମ ବିଗ୍ରହ ହୋଇଥିବାରୁ ରଥର ନାଁ ବ୍ରହ୍ମ ତାଳଧ୍ୱଜ ନାମରେ ନାମିତ । ଏହି ରଥର ଉଚ୍ଚତା ୬୫ ଫୁଟ୍ ଓ ଏହାର ପତାକାର ନାମ ବ୍ରହ୍ମକେତନି । ଯେହେତୁ ଶ୍ରୀ ବଳଦେବଜିଉ ଚାଷୀ ମାନଙ୍କର ଦେବତା ଓ ଲଙ୍ଗଳ ତାଙ୍କର ପ୍ରମୁଖ ଅସ୍ତ୍ର ତେଣୁ ଏହି ରଥର କାମ ଅକ୍ଷୟ ତୃତୀୟାରୁୁ ଆରମ୍ଭ ହୋଇଥାଏ । ନେତ୍ର ଉତ୍ସବ ଦିନ ରଥ କାମ ଶେଷ ହୋଇ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଥାଏ । ଏତେ ବଡ଼ ରଥ ହୋଇଥିବାରୁ ଏହା ଗଡିଲେ ଏକ ମନ୍ଦିର ଗଡିବାର ଭ୍ରମ ସୃଷ୍ଟି ହୋଇଥାଏ । ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର କିଛି ଦିନର ଅପେକ୍ଷା । ଆସନ୍ତା ୧୪ ତାରିଖରେ ବ୍ରହ୍ମ ତାଳଧ୍ୱଜ ରଥରେ ବସି ବଡ ଭାଇ ବଳଦେବଜିଉ, ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଯିବେ ମାଉସୀ ମା’ ଅଭିମୁଖେ ।