ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ! ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ବସିଲା ତିହାରି ହାଟ ।

71

କନକ ବ୍ୟୁରୋ : ଆସନ୍ତାକାଲି ନୂଆଁଖାଇ । ଚଳଚଂଚଳ ହୋଇ ଉଠିଲାଣି ପଶ୍ଚିମ ଓଡିଶା । ସହରରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ନୂଆଁଖାଇର ମାହୋଲ । ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଁଖାଇ ପାଳିବାକୁ ଘରକୁ ଫେରିଲେଣି । ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ଆସନ୍ତାକାଲି ନବାନ୍ନ ଲାଗି ହେବ ।

ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବିପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁ  ଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଏକପ୍ରକାର ପ୍ରସ୍ତୁତ ।

ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଘରେ ଘରେ ଚାଲିଛି ଲିପା ପୋଛା ତା ସାଂଗକୁ ଚାଲିଛି ପୁଜା ପାଇଁ ସାମଗ୍ରୀ କିଣା । କ୍ଷେତରୁ ନୂଆ ଧାନ ଆସିବା ପରେ ଏଥିରୁ ପ୍ରସ୍ତୁତ ହୁଏ ଚୁଡା । ଏହି ଚୁଡାକୁ ନବାନ୍ନ ଭାବେ ଠାକୁରଙ୍କ ପାଖେ ଅର୍ପଣ କରାଯାଇଥାଏ ।କେବଳ ନୂଆ ଧାନ ନୁହଁ ବରଂ ନୂଆ ବସ୍ତ୍ର ବି ପିନ୍ଧିବାକୁ ଭୁଲନ୍ତି ନାହିଁ ଏଠାକାର ଅଧିବାସୀ । ଘରର ମହିଳାମାନେ ଘର ଆଗରେ ଆଙ୍କି ସାରିଲେଣି ଝୋଟି ଓ ଚିତା । ଏହା ସାଂଗକୁ ନୂଆଖାଇକୁ ଧୁମଧାମରେ ପାଳନ କରିବାକୁ ନୃତ୍ୟ ଗୀତର ପ୍ରସ୍ତୁତି ବି ଚାଲିଛି । ସମ୍ବଲପୁରୀ ନୃତ୍ୟ ସାଂଗକୁ ଗ୍ରାମାଂଚଳରେ ଆରମ୍ଭ ହେଲାଣି ବିଭିନ୍ନ ପ୍ରକାରର ପ୍ରତିଯୋଗିତା । ଗାଁ ଠାରୁ ସହର ସବୁଠି ଝୁମିବ ଏବେ ରସକେଳିର ଧୁନ୍। ଆଉ ଏହାରି ସାଂଗକୁ ଜୁହାର ଭେଟ୍ ବି କରିବେ ପଶ୍ଚିମ ଓଡିଶାବାସୀ।