ଝଲସୁଛି କଳିଙ୍ଗ ଷ୍ଟାଡିୟମ୍ ! ସଞ୍ଜ ଛୁଉଁଛୁଉଁ ଏସୀୟ ଦୌଡକୁଦ ମହାକୁମ୍ଭର ବିଗୁଲ ବାଜିବ

27

କନକ ବ୍ୟୁରୋ : ରିହରସାଲ ସରିଛି । ଟ୍ରାକ୍ ବି ପ୍ରସ୍ତୁତ ହୋଇସାରିଛି । ଝଲସୁଛି କଳିଙ୍ଗ ଷ୍ଟାଡିୟମ୍ । ଆଉ ମାତ୍ର କେଇଟା ମୁହୂର୍ତ୍ତର ଅପେକ୍ଷା । ସଞ୍ଜ ଛୁଉଁଛୁଉଁ ଏସୀୟ ଦୌଡକୁଦ ମହାକୁମ୍ଭର ବିଗୁଲ ବାଜିବ । ନାଚଗୀତରେ ଦୁଲୁକିବ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପର ଉଦଘାଟନୀ ପର୍ବ । ବର୍ଣ୍ଣାଢ଼୍ୟ ପରିବେଶରେ ଆଖି ଝଲସା ଅନୁଭୂତି ସାଉଁଟିବେ ହଜାର ହଜାର ଦର୍ଶକ ।

ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ ହେବ । ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡିଶୀ ଫ୍ୟୁଜନ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ୬ଟି ଡ୍ୟାନ୍ସ ଗ୍ରୁପର ୪ ଶହ କଳାକାର ନୃତ୍ୟ ପରିବେଷଣ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହେବ ଓଡିଶାର ସ୍ୱର୍ଣ୍ଣିମ ଅତୀତ, ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଝଲକ । ଆଜି ଅପରାହ୍ନ ୬ଟାରୁ ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉଦଘାଟନୀ ସମାରୋହ ।

ଆଜିର ଉଦଘାଟନୀ ପରେ କାଲିଠାରୁ ୯ ତାରିଖ ଯାଏଁ ଇଭେଂଟ ହେବ । ଓଡିଆ ଧାବିକା ଶ୍ରାବଣୀ ନନ୍ଦ ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ । ପ୍ରତିଯୋଗିତାରେ ଦେଖିବାକୁ ମିଳିବ ୪୫ ଦେଶର ୬୫୫ ଆଥଲେଟଙ୍କ ଆକ୍ସନ । ଏହି ଆକ୍ସନ ଆସନ୍ତାକାଲିଠାରୁ ଆରମ୍ଭ ହେବ । ମୋଟ ୪୨ଟି ଇଂଭେଟରେ ପ୍ରତିଯୋଗିତା ହେବ ।

କଳିଙ୍ଗ ଷ୍ଟାଡିୟମରେ ନୂଆ ସିନ୍ଥେଙ୍କିକ ଟ୍ରାକ ବିଛାଯିବା ସହ ୱାର୍ମଅଫ ଗ୍ରାଉଣ୍ଡ, ଜିମ୍ ଓ ଆଣ୍ଟି ଡୋପିଂ ସେଲ ଭଳି ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି । ପ୍ରତିଯୋଗିତାକୁ ଠିକ ଭାବେ ପରିଚାଳନା କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ବିମାନବନ୍ଦର, ଏୟାରପୋର୍ଟ ଛକରୁ କଳିଙ୍ଗ ଷ୍ଟାଡିୟମ ରାସ୍ତା ଓ ସମସ୍ତ ହୋଟେଲକୁ ଅତି ସୁନ୍ଦର ଭାବେ ସଜାଯାଇଛି ।