ପୁଣି ଥରେ ପୁରୀରେ ଆରମ୍ଭ ହେବ ପ୍ରିପେଡ ଅଟୋସେବା ! ପ୍ରାଥମିକ ପର୍ଯ୍ୟାୟରେ ରେଳଷ୍ଟେସନରୁ ହେବ ଆରମ୍ଭ

24

କନକ ବ୍ୟୁରୋ : ପୁଣି ଥରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ପ୍ରିପେଡ ଅଟୋସେବା । ପ୍ରାଥମିକ ପର୍ଯ୍ୟାୟରେ ପୁରୀ ରେଳଷ୍ଟେସନରୁ ଆରମ୍ଭ ହେବ । ପରେ ସହରର ଅନ୍ୟ ୫ଟି ସ୍ଥାନରେ ଏହି ସେବା ଉପଲବ୍ଧ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଡିସେମ୍ବର ୭ରୁ ଏହି ସେବା ଆରମ୍ଭ ହେବ । ପୂର୍ବରୁ ୨୦୧୪ରେ ଆରମ୍ଭ ହୋଇଥିବା ପ୍ରିପେଡ ଅଟୋ ସେବାରେ ଦୁର୍ନୀତି ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା ।

ପୁରୀରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଭାବେ ପ୍ରିପେଡ ଅଟୋ ସେବା । ଡିସେମ୍ବର ୭ରୁ ଆନୁଷ୍ଠାନିକ ଭାବେ ପୁରୀ ରେଳଷ୍ଟେସନରେ ଅଟୋ ଓ ଟାକ୍ସିକୁ ନେଇ ହେବ ପ୍ରିପେଡ ସେବା ।  ସହରର ଅଟୋ ଓ ଟାକ୍ସିକୁ ଶୃଙ୍ଖଳିତ କରିବା ପାଇଁ ସେମାନଙ୍କ ସଙ୍ଘ ପକ୍ଷରୁ ଡ୍ରୋସ କୋଡ ବା ଜ୍ୟାକେଟ କରାଯିବା ପାଇଁ ସଙ୍ଘମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ଜିଲାପାଳ । ସେପଟେ ପ୍ରଶାସନ ପୂର୍ବରୁ ପରୀକ୍ଷାମୁଳକ ଭାବେ ପ୍ରିପେଡ ସେବା ଆରମ୍ଭ କରିଥିବା ବେଳେ ସେହି ଟଙ୍କାର ହିସାବ ଏଯାବତ ମିଳିନି । ପୁଣି ଥରେ ନିଜର ନିଷ୍ପତିକୁ ଅଟୋ ସଙ୍ଘ ଉପରେ ଲଦିଦେବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜ୍ୟ ଉପସଭାପତି ।

ପୁରୀରେ ଚାଲିୁଥିବା ଅଟୋ ସେବାକୁ ଶୃଙ୍ଖଳିତ କରିବା ଲାଗି ନିଆଯାଇଛି ଉଚ୍ଚସ୍ତରୀୟ ପଦକ୍ଷେପ ନିଆଯାଇଛି । ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଅଟୋ, ଟାକ୍ସି ସଙ୍ଘଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି। ଡିସେମ୍ବର ୭ରୁ ପୁରୀ ରେଳଷ୍ଟେସନରୁ ପ୍ରାଥମିକ ପର୍ୟ୍ୟାୟରେ ଆରମ୍ଭ ହେବ ପ୍ରିପେଡ ଅଟୋ ସେବା । ଏହା ପରେ ପର୍ୟ୍ୟାୟ କ୍ରମେ ସହରର ଅନ୍ୟ ସ୍ଥାନରେ ଏହି ସେବା ଆରମ୍ଭ କରାଯିବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ କେଉଁଠି କୁ ଯାତ୍ରା କଲେ କେତେ ଟଙ୍କା ଦେବାକୁ ପଡିବ ତାହାର ରେଟ ଚାର୍ଟକୁ ମଧ୍ୟ ପ୍ରିପେଡ କାଉଣ୍ଟର ଓ ଟାକ୍ସି ସଙ୍ଘ ସମ୍ମୁଖରେ ରଖିବେ ବୋଲି ଟାକ୍ସି ସଙ୍ଘ ସହ ଆଲୋଚନା ହୋଇଥିବା କହିଛନ୍ତି ଜିଲାପାଳ

ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ଭଳି ଅଟୋ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ସହରରେ ଶୃଙ୍ଖଳିତ ଅଟୋ ସେବା ପାଇଁ ପୁରୀରେ ୨୦୧୪ରେ ଆରମ୍ଭ ହୋଇଥିଲା ପ୍ରିପେଡ ସେବା । ହେଲେ ତାହା ସଫଳତାର ଚାଲିପାରିନଥିବା ବେଳେ ସେଥିରେ ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ ହୋଇଛି । ସେପଟେ ପୁଣି ଥରେ ସହରର ୭ଟି ଯାଗାରେ ଆରମ୍ଭ ହେବାକୁ ଯାଉଛି ପ୍ରିପେଡ ସେବା । ପ୍ରିପେଡ ସେବା ଡିସେମ୍ବର ୭ରୁ ଆରମ୍ଭ ହେବାକୁ ଥିବାବେଳେ ସମସ୍ତ ଅଟୋ କର୍ମଚାରୀ ଗୋଟିଏ ରଙ୍ଗର ଜ୍ୟାକେଟ ବା ଡ୍ରେସ କୋଡ ପିନ୍ଧିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଡିସେମ୍ବର ତୃତୀୟ ସପ୍ତାହରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ । ସେପଟେ ପ୍ରଶାସନ ଏବେ ପ୍ରିପେଡ ସେବାକୁ ଶୃଙ୍ଖଳିତ କରିବା ପାଇଁ ସଙ୍ଘମାନଙ୍କ ଗୁରୁତ୍ୱକୁ ହଟାଇଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନିଖିଳ ଉତ୍କଳ ଅଟୋ ମହାସଙ୍ଘର ଉପ ସଭାପତି । ପୂର୍ବରୁ ୨୦୧୪ ମସିହାରେ ପ୍ରିପେଡ ସେବା ରେ ହୋଇଥିବା ଅର୍ଥ ହେରଫେରର ହିସାବ ଦେଇ ପାରୁନଥିବା ବେଳେ ପୁଣି ଥରେ ପ୍ରିପେଡ ଅଟୋ ସେବାକୁ ନେଇ ସନ୍ଦେହ ଉପୁଜୁଛି ।