ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର ! ମାଲକାନଗିରି ବଡ଼ରେଙ୍ଗାବେଡ଼ା ଗାଁରେ ରାସ୍ତାରେ ପ୍ରସବ କଲେ ମହିଳା

34

କନକ ବ୍ୟୁରୋ: ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତାରେ ପ୍ରସବ କଲେ ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

ସୂଚନା ମୁତାବକ, ମାଥିଲି ବ୍ଲକ୍ ବଡ଼ରେଙ୍ଗାବେଡ଼ା ଗାଁର ଜଣେ ମହିଳା ରାସ୍ତାରେ କରିଛନ୍ତି ପ୍ରସବ । ଆମ୍ବୁଲାନ୍ସ ପହଂଚି ନପାରିବାରୁ ଗର୍ଭ ଯନ୍ତ୍ରଣା ପାଉଥିବା ମହିଳାଙ୍କୁ ହସ୍ପିଟାଲ ନେବା ସମ୍ଭବ ହୋଇ ପାରିନଥିଲା । ବଡ଼ରେଙ୍ଗାବେଡ଼ା ଗାଁକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇନଥିଲା । ପ୍ରାୟ ୩ ଘଂଟା ପରେ ଗାଁ ମୁଣ୍ଡରେ ପହଂଚିଥିଲା ୧୦୮ ଆମ୍ବୁଲାନ୍ସ । ଆଉ ଗର୍ଭବତୀ ମହିଳା ଜଣଙ୍କୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଚଲାଇ ଚଲାଇ ନେଉଥିବା ବେଳେ ସେ ରାସ୍ତାରେ ହିଁ ପ୍ରସବ କରିଥିଲେ । ଆଉ ପ୍ରସବ ପରେ ପୁଣି ତାଙ୍କୁ ଗାଁ ମୁଣ୍ଡରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚଲାଇ ଚଲାଇ ନିଆଯାଇଥିଲା ।

ଏଠାରେ ଆମେ କହି ରଖୁଛୁ କି, ଗତକାଲି ମଧ୍ୟ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା କଳାହାଣ୍ଡିରେ । ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇଥିଲେ ଗର୍ଭବତୀ । ତେବେ କଳାହାଣ୍ଡି ଲାଂଜିଗଡ ବ୍ଲକ ଲିଟିବଣ୍ଡେଲ ଗାଁରେ ଜଣେ ପ୍ରସୂତି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ଆଶାକର୍ମୀ ଆସିନଥିଲେ । ଫଳରେ ଗାଁକୁ ଆସିବାକୁ ଆମ୍ବୁଲାନ୍ସ ନଥିବାରୁ ପରିବାର ଲୋକେ ପ୍ରସୂତିଙ୍କୁ ଖଟିଆରେ ବୋହିକି ନେଇଥିଲେ । ପାହାଡ ଓ ନଦୀ ପାର ହେବା ପରେ ଲାଂଜିଗଡ ନିକଟସ୍ଥ ଭୈରବ ମନ୍ଦିର ନିକଟରେ ପହଚିଂଥିଲେ । ସେଠାରୁ ୧୦୮ ଆମ୍ବୁୁଲାନ୍ସ ଯୋଗେ ମେଡିକାଲ ଅଣାଯାଇଥିଲା ।

ତେବେ ରାସ୍ତା ଅଭାବରୁ ଏହି ଅଂଚଳର ଗର୍ଭବତୀ ମହିଳାମାନେ ବିପଦ ସଙ୍କୁଳ ଅବସ୍ଥାରେ ଡାକ୍ତରଖାନା ଯାଉଥିବା ବାରମ୍ବାର ଅଭିଯୋଗ ଆସୁଥିବା ସତ୍ୱେ ଏନେଇ ସରକାରଙ୍କ ପକ୍ଷରୁ ସେଭଳି କିଛି ତତ୍ପରତା ଦେଖାନଯିବା ଏବେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।