ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରୁନି ଆମ୍ବୁଲାନ୍ସ, କେଉଁଠି ଖଟିଆରେ ତ ପୁଣି କେଉଁଠି ଭାରରେ ବୁହାହେଉଛନ୍ତି ରୋଗୀ

40

କନକ ବ୍ୟୁରୋ: ଖରାପ ରାସ୍ତା ଯୋଗୁଁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଦୀର୍ଘ ୮ କିମି ଭାରରେ ବୁହା ହୋଇ ଅଟକିଥିବା ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ ଗର୍ଭବତୀ ମହିଳା । ଏପରି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକ ଚିପାକୁର ପଞ୍ଚାୟତରେ ।

ଥୁଆଗନ୍ଦଲି ଗାଁର ମଙ୍ଗୁ ଖିଲଙ୍କ ପତ୍ନୀ କମଳା ଖିଲଙ୍କ ପ୍ରସବ ବେଦନା ହେବାରୁ ଗାଁର ଆଶାକର୍ମୀ ୧୦୨ ଆମ୍ବୁଲାନ୍ସ କୁ ଡ଼ାକିଥିଲେ । ଆମ୍ବୁଲାନ୍ସ ଖରାପ ରାସ୍ତା ଯୋଗୁଁ ଅଧା ବାଟରେ ରହିଲା, ଗାଁ ଲୋକେ କମଳାକୁ ଏକ ଖଟିଆରେ ବୋହି ୮କିମି ଆଣିଲା ପରେ ଆମ୍ବୁଲାନସର ସହାୟତା ପାଇଥିଲେ । ବୈପାରିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଚୁଂପହଚୁଂ କମଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏବେ ମା ଓ ନବଜାତକ ଉଭୟେ ଭଲ ଥିବା ସୂଚନା ମିଳିଛି ।

ଅନ୍ୟପଟେ ମାଲକାନାଗିରିରେ ମଧ୍ୟ ସମାନ ଅବସ୍ଥା । କରୁଣ୍ଡା ବ୍ଲକର ଡ଼େୁଟେଲଗୁଡ଼ା ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହିଛନ୍ତି ପରିବାର ଲୋକ । ରାସ୍ତା ଖରାପ ଥିବାରୁ ମହିଳାଙ୍କ ପାଖରେ ଆମ୍ବୁଲାନ୍ସ ପହଂଚି ପାରି ନଥିଲା । ବାଧ୍ୟହୋଇ ପରିବାର ଲୋକ ଖଟିଆରେ ଗର୍ଭବତୀ ମହିଳାଙ୍କୁ ୩ କିଲୋମିଟର ବାଟ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ କରୁକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।