ପିଲାଙ୍କ ପାଇଁ ଜୀବନ ଦେଇଦେଲା ମା’ ! ଅଗ୍ନିକାଣ୍ଡରେ ମୃତ୍ୟୁ ପୂର୍ବରୁ ନିଜର ୪ ପିଲାଙ୍କୁ ରକ୍ଷାକଲେ ୨୭ ବର୍ଷୀୟ ଗର୍ଭବତୀ ମହିଳା

137

କନକ ବ୍ୟୁରୋ : ଗାଜିଆବାଦରେ ଗତକାଲି ଘଟିଛି ଅତ୍ୟନ୍ତ ହୃଦୟବିଦାରକ ଘଟଣା । ନିଆଁ ଲାଗିଥିବା ଏକ ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ୨୭ ବର୍ଷୀୟ ଅନ୍ତଃସତ୍ତ୍ୱା ମହିଳା । ହେଲେ ମୃତ୍ୟୁ ପୂର୍ବରୁ ତାଙ୍କର ୪ ଜଣ ଛୁଆଙ୍କୁ ରକ୍ଷା କରିପାରିଛନ୍ତି । ୮ ମାସର ଗର୍ଭବତୀ ଥିବା ଫାତିମା ଛୁଆମାନଙ୍କୁ ବାଲ୍କୋନି ଉପରୁ ତଳେ ଥିବା ରାସ୍ତାକୁ ଫିଙ୍ଗି ଦେଇଥିଲେ । କିନ୍ତୁ କୋଠାଟି ଭୁଶୁଡ଼ି ପଡ଼ିବା ପୂର୍ବରୁ ସେ ନିଜେ ଅଚେତ ହୋଇପଡ଼ିବାରୁ ପଦାକୁ ଆସି ପାରିନଥିଲେ ।

ତଳ ମହଲାରେ ଚାଲିଥିବା ପାଉଁରୁଟି ଭାଟିର ନିଆଁ ଯୋଗୁଁ ସମ୍ଭବତଃ କୋଠାଟି ଭୁଶୁଡ଼ି ପଡ଼ିଛି ବୋଲି ପୋଲିସ୍ ସନ୍ଦେହ କରୁଛି । ତଳ ମହଲାରେ ଫାତିମାଙ୍କ ସ୍ୱାମୀ ପାଉଁରୁଟି ଭାଟି ଚଳାନ୍ତି । ଦିନ ପ୍ରାୟ ୧୨: ୩୦ ମିନିଟ୍ ସମୟରେ ସେଠାରେ ଦୁଇଟି ଏଲ୍ପିଜି ସିଲିଣ୍ଡର୍ ବିସ୍ଫୋରଣ ଘଟିଥିଲା ।

ଫାତିମା ଉପର ମହଲାରେ ଅଟକି ରହିଯାଇଥିବା ବେଳେ ତାଙ୍କ ସ୍ୱାମୀ ଓ ଭାଇମାନେ ତଳ ମହଲାରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ । ସେ ଗର୍ଭବତୀ ଥିବାରୁ ଶୀଘ୍ର ଶୀଘ୍ର ଚଳପ୍ରଚଳ କରି ପାରୁ ନଥିଲେ ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ସ୍ଥାନୀୟ ଲୋକେ ଫାତିମାଙ୍କୁ କହିଥିଲେ ଛୁଆମାନଙ୍କୁ ତଳକୁ ପକାଇ ଦିଅ । ତଳେ ଛିଡ଼ାହୋଇଥିବା ଉଦ୍ଧାରକାରୀଙ୍କ ନିକଟକୁ ଗୋଟିକ ପରେ ଗୋଟିଏ ଛୁଆଙ୍କୁ ଫିଙ୍ଗି ଦେଇଥିଲେ ଫାତିମା। ତାଙ୍କର ନଅ ବର୍ଷିୟ ପୁଅ ଏବଂ ସାତ ବର୍ଷୀୟ ଝିଅ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ଝିଅ ସାମାନ୍ୟ ଆହତ ହୋଇଥିବା କଥା ପଡ଼ୋଶୀମାନେ କହୁଛନ୍ତି । ସମସ୍ତଙ୍କ ଜୀବନ ବଂଚିଗଲା ସିନା ଫାତିମା କିନ୍ତୁ ନିଜକୁ ବଂଚାଇ ପାରିଲେ ନାହିଁ ।