ଦାଦନଙ୍କ ଦୁର୍ଦ୍ଦଶାର କଥା । ରାଜରାସ୍ତାରେ ପ୍ରସବ ପରେ ଦେଢଶହ କିଲୋମିଟର ଚାଲିଲେ ମଧ୍ୟପ୍ରଦେଶର ମହିଳା । ଜନ୍ମ ପରେ ନେଲେ ମାତ୍ର ଦୁଇଘଂଟାର ବିଶ୍ରାମ

ଜଣେ ଗର୍ଭବତୀ ମହିଳା ଦାଦନ ଶ୍ରମିକଙ୍କ ସାହସିକତା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

555

କନକ ବ୍ୟୁରୋ: କରୋନା କଟକଣା ଭିତରେ ବେଶ କଷ୍ଟ ସହି କରି ନିଜ ନିଜ ଘରକୁ ଫେରୁଛନ୍ତି ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ । ଶହ ଶହ କିଲୋମିଟର ରାସ୍ତା ପାଦରେ ଚାଲି ଫେରୁଥିବା ଏହି ଶ୍ରମିକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ମୁମ୍ବାଇ ନାସିକରୁ ମଧ୍ୟପ୍ରଦେଶ ସତନା ଆସୁଥିବା ଜଣେ ଗର୍ଭବତୀ ମହିଳା ଦାଦନ ଶ୍ରମିକଙ୍କ ସାହସିକତା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଗ୍ରା ମୁମ୍ବାଇ ରାଜରାସ୍ତା ଉପରେ ସନ୍ତାନକୁ ପ୍ରସବ କରିବା ପରେ ମହିଳା କେବଳ ଦୁଇ ଘଂଟାର ବିଶ୍ରାମ ନେଇଥିଲେ ଓ ପରେ ଚାଲିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୯ମାସର ଗର୍ଭବତୀ ଥିବା ମହିଳା ଜଣକ ସନ୍ତାନ ପ୍ରସବ ପୂର୍ବରୁ ୭୦ କିଲୋମିଟରେ ଚାଲି ଚାଲି ଆସିଥିବାବେଳେ ସନ୍ତାନ ପ୍ରସବ ପରେ ପ୍ରାୟ ୧୫୦ କିଲୋମିଟର ଚାଲିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କ ସ୍ୱାମୀ କହିଛନ୍ତି ଏହି ଯାତ୍ରା ସେମାନଙ୍କ ପାଇଁ ବେଶ କଷ୍ଟକର ଥିଲା ସତ କିନ୍ତୁ ଇଶ୍ୱରଙ୍କ ଆର୍ଶୀବାଦ ପାଇଁ ଚଲାପଥରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ କରିଥିଲେ । ତେବେ ନିଜ ଗାଁରେ ପହଁଚିବା ପରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଉଭୟ ମା ଓ ନବଜାତ ଶିଶୁଙ୍କ ସହ ପରିବାର ସମସ୍ତ ସୁବିଧା ପ୍ରଦାନ କରିଛି । ମହିଳା ଜଣକ ଯେବେ ମହାରାଷ୍ଟ୍ର-ମଧ୍ୟପ୍ରଦେଶ ସୀମାରେ ପହଁଚିଥିଲେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ତାଙ୍କ ହାତରେ ନବଜାତ ଶିଶୁ ଦେଖିବାକୁ ପାଇଥିଲେ ଓ ଘଟଣା ବିଷୟରେ ପଚାରବୁଝିଥିଲେ । ବର୍ତମାନ ଡାକ୍ତରଖାନ୍ନାରେ ଚାଲିଛି ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା । ଉଭୟ ସୁସ୍ଥ ଥିବା ଜଣାପଡିଛି ।