ରାଜ୍ୟ ସରକାରଙ୍କ ମମତା ଯୋଜନାକୁ ଧକ୍କା : ଆସିଲାନି ଆମ୍ବୁଲାନ୍ସ , ରାସ୍ତାରେ ଛଟପଟ ପ୍ରସୂତି

25

ରାୟଗଡା : ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାକୁ ସରକାରଙ୍କର କେତେକଣ ଯୋଜନା । ଏଥିପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ ବରାଦ ବି ହେଉଛି । ହେଲେ ଉପାନ୍ତ ଅଂଚଳଗୁଡିକରେ ସରକାରୀ ଯାଜନା କେତେଦୂର କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ଘଟଣା ।

ଗର୍ଭ ଯନ୍ତ୍ରଣାରେ ଛଟପଟ ଜଣେ ପ୍ରସୂତିଙ୍କୁ ନେବା ପାଇଁ ଆସିଲା ନାହିଁ ସରକାରଙ୍କ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ । ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ପ୍ରସୂତିଙ୍କୁ ସାଇକେଲରେ ବୋହି ଆଣିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବରିଗୁଡା ଗାଁରେ । ହିକକା କୁଞ୍ଜୁଡି ଦୀର୍ଘ ୨ ଘଂଟା କାଳ ଯନ୍ତ୍ରଣାରେ ଛଟପଟ ହେବା ପରେ ସ୍ୱାମୀ, ଶାଶୁ ଓ ଦିଅର ମିଶି ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ବୋହି ଆଣିଲେ ଗୁଣ୍ଡୁରିଗୁଡା ଗାଁ ପର୍ଯ୍ୟନ୍ତ । ହେଲେ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଏକ ଟାଟା ମ୍ୟାଜିକ ଡକାଇ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ । ଏତେସବୁ ସମସ୍ୟା ଭିତରେ ମହିଳା ଜଣକ ହସ୍ପିଟାଲରେ ପହଂଚିଥିଲେ ସୁଦ୍ଧା କୌଣସି କର୍ମଚାରୀ ତାଙ୍କ ପାଖରେ ପହଂଚିନଥିଲେ । ଆଉ ପୁଣି ଅଧଘଂଟା କାଳ ମହିଳା ଜଣକ ସେମିତି ଯନ୍ତ୍ରଣା ଭୋଗିଥିଲେ । ପରେ କର୍ମଚାରୀ ଆସି ପ୍ରସବ ଗୃହ ଖୋଲି ତାଙ୍କୁ ଭର୍ତି କରାଯାଇଥିଲା । ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ କୁଞ୍ଜୁଡି । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଜଣେ ପ୍ରସୂତି ମହିଳା ହସ୍ପିଟାଲରେ ପହଂଚିବା ପାଇଁ ଏତେ ସମସ୍ୟାର ସମ୍ମୁଖୀନ ହେବା ସରକାରଙ୍କ ସମସ୍ତ ଯୋଜନାର କାର୍ଯ୍ୟକାରୀତା ନେଇ ପ୍ରଶ୍ନଚିହ୍ନ ଲଗାଇଛି ।