ଥମୁନି ଜନନୀ ଯନ୍ତ୍ରଣା ! ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାରେ ପୁଣି ଭାରାରେ ବୁହାହେଲେ ଗର୍ଭବତୀ ମହିଳା

81

କନକ ବ୍ୟୁରୋ : ପୁଣି ଭାରାରେ ବୁହାହେଲେ ଗର୍ଭବତୀ । ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଳକରେ । ଗାଁକୁ ରାସ୍ତା ନଥିବା ଯୋଗୁଁ ବାଉଁଶ ଭାରା କରି ଗର୍ଭବତୀ ମହିଳାଙ୍କୁ ବୋହିଲେ ସମ୍ପର୍କୀୟ । ରମଗଢ଼ ଗାଁର ଫୁଲମତି ମୁଦୁଲିଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଫୁଲମତିଙ୍କ ପାଖରେ ପହଞ୍ଚିନଥିଲା ଆମ୍ବୁଲାନ୍ସ । ଆଉ କୌଣସି ଉପାୟ ନପାଇ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ଭାରା କରି ବୋହି ଆଣିଥିଲେ ।

ପାହାଡ଼ ଉପରୁ ତଳକୁ ଆସିବା ପରେ ଆମ୍ବୁଲାନ୍ସକୁ ଅପେକ୍ଷା କରିରହିଥିଲେ । କିନ୍ତୁ ଆମ୍ବୁଲାନ୍ସ ମଧ୍ୟ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ଏକ ଅଟୋ ସାହାଯ୍ୟରେ ତାଙ୍କୁ ପ୍ରଥମେ ରାବନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନା ଆସିବାରେ ବିଳମ୍ବ ହେବା ଯୋଗୁଁ ନବଜାତକଟି ଦୁର୍ବଳ ହୋଇଯାଇଥିବାରୁ ତାକୁ ଏସଏନସିୟୁରେ ଭର୍ତି କରାଯାଇଛି ।

ସରକାର ଜନନୀ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି କହୁଥିବା ବେଳେ ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ଯେ ଢ଼େର ଭିନ୍ନ ତାହା ପ୍ରତିଦିନ ପ୍ରମାଣିତ ହେବାରେ ଲାଗିଛି।