ନାଳ ହିଁ ଭରସା ! ପ୍ରହସନ ପାଲଟିଛି ସରକାରଙ୍କ ଗାଁ କୁ ରାସ୍ତା ମା’କୁ ସମ୍ମାନ ପ୍ରତିଶ୍ରୁତି

39

କନକ ବ୍ୟୁରୋ : ସରକାର ଗାଁ କୁ ରାସ୍ତା ମା’କୁ ସମ୍ମାନର ଡିଣ୍ଡମ ପିଟୁଛନ୍ତି । ହେଲେ ରାଜ୍ୟର ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ କି ଗମନା ଗମନ ପାଲଟିଛି ସାତ ସପନ । ରାସ୍ତାଘାଟ ନଥିବାରୁ କେଉଁଠି ନଦୀ ବାଲିରେ ପ୍ରସୂତୀ ପ୍ରସବ କରୁନ୍ତି ତ ଆଉ କେଉଁଠି  ଖଟିଆରେ ମାଇଲ୍ ମାଲ୍ ଦୂର ଯାଉଛନ୍ତି ରୋଗୀ । ଏମିତି ଏକ ଭିଜୁଆଲ୍ କଏଦ ହୋଇଛି କନକ ନ୍ୟୁଜ୍ କ୍ୟାମେରାରେ । ଦେଖିବା ବୌଦ୍ଧ ଜିଲ୍ଲା କଂଟାମାଳ ଶଗଡା ପଂଚାୟତ ଖଣ୍ଡକମ୍ପା ଅଂଚଳର ଦୃଶ୍ୟ ।

ରାତି ପାହିଲେ ଖଣ୍ଡିକମ୍ପା ଗାଁକୁ ଲାଗି ବୋହିଯାଇଥିବା କେରେଣ୍ଡି ନାଳ ଦେଇ ପ୍ରତି ଦିନ ଯାତାୟତ କରିଥାନ୍ତି ଗରିବ ଆଦିବାସୀ ବହୁଳ ୧୮ରୁ ଅଧିକ ଗାଁର ଲୋକ । ବର୍ଷା ଦିନ ଏ ସବୁ ଗାଁର ଲୋକ ଜଳବନ୍ଦୀ ଜୀବନ ବିତାଇଥାନ୍ତି । ଏମାନଙ୍କ ପାଇଁ ଗମନା ଗମନର ମାଧ୍ୟମ କହିଲେ ଏହି ନାଳ । ଯଦି ଏ ନାଳ ପାର ନହେବେ ତେବେ ପ୍ରାୟ ୧୫ କିଲୋମିଟର ପାଦରେ ଚାଲି ଚାଲି ଯିବା ପରେ ରାସ୍ତାଟିଏ ମଳିଥାଏ । ବଣ ପାହାଡ, ନଦୀ ନାଳ ଘେରା ଏହି ଅଂଚଳକୁ ନା ପହଂଚିପାରୁଛି ଆମ୍ବୁଲାନ୍ସ ନା ଅନ୍ୟ କୌଣସି ଗାଡି । ଫଳରେ ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ପ୍ରସୂତୀ ।

ଏତ ଗଲା ରୋଗୀ ଓ ପ୍ରସୂତୀଙ୍କ ଅବସ୍ଥା । ଏଠାରେ ଛାତ୍ରଛାତ୍ରୀ ମଧ୍ୟ ବର୍ଷା ୪ ମାସ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅଂଟାଏ ଅଂଟାଏ ପାଣିରେ ପଶି ନାଳ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରା । ଆଉ ବର୍ଷା ଯୋଗୁଁ ନାଳରେ ପାଣି ବଢିଲେ ଏମାନଙ୍କ ପାଠପଢା ପୁରା ଠପ୍ ହୋଇଯାଏ । କେରେଣ୍ଡି ନାଳରେ ସେତୁ ନିର୍ମାଣ ପାଇଁ ନେତାମନ୍ତ୍ରୀଙ୍କ ଠାରୁ ଆରଂଭ କରି ପ୍ରଶାସନକୁ ଗୁହାରି କଲେ ବି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଖଣ୍ଡିକମ୍ପାର ସମସ୍ୟାକୁ ନେଇ ଦଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ । ତୁରନ୍ତ ଏଠାରେ ଏକ ସେତୁ ନିର୍ମାଣ କରିବା ସହିତ ରାସ୍ତାଘାଟ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ବହୁ ନେତା ମନ୍ତ୍ରୀଙ୍କୁ ଗୁହାରି କରି ନିରାସ ହୋଇଥିବା ଅଂଚଳ ବାସି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆସନ୍ତା ନିର୍ବାଚନ ଆଗରୁ କେରେଣ୍ଡି ନାଳରେ ପୋଲ ନିର୍ମାଣ ନହେଲେ ଲୋକେ ୨୦୧୯ ନିର୍ବାଚନରୁ ବିରତ ରହିବେ ବୋଲି ଧମକ ଦେଇଛନ୍ତି ।