ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର ! ଆସିଲାନି ଆମ୍ବୁଲାନ୍ସ, ନଦୀପଠାରେ ପ୍ରସବ କଲେ ମହିଳା

44

କନକ ବ୍ୟୁରୋ : ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ । ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଧୋକା ଦେଲା ଆମ୍ବୁଲାନ୍ସ । ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ନଦୀ ପଠାରେ ମୃତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, କୋରାପୁଟ ଜିଲ୍ଲାର ଦୁର୍ଗମ ଦଶମନ୍ତପୁର ବ୍ଲକର ଗିର୍ଲିଗୁମ୍ମା ପଞ୍ଚାୟତ ଅଧୀନ ଫୁଣ୍ଡାଗୁଡ଼ା ଗ୍ରାମର ନବୀନ ବିଶୋୟୀଙ୍କ ପତ୍ନୀ ନୈନାଙ୍କ ଆଜି ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିିଲା । କିନ୍ତୁ ଗାଁକୁ ସବୁ ଦିନିଆ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରି ଦେଇଥିଲା। ପ୍ରସୂତିଙ୍କ ପାଖରେ ଆମ୍ବୁଲାନ୍ସ ନ ପହଞ୍ଚିବା ପାଇଁ ସମସ୍ୟା ସୃଷ୍ଟି କରିଥିଲା ନଦୀ ।

ତେଣୁ ଘର ଲୋକ ବାଧ୍ୟ ହୋଇ ପ୍ରସୂତିଙ୍କୁ କାନ୍ଧରେ ବୋହି ପ୍ରଥମେ ନଦୀ ପାର କରି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ହେଲେ ଏହାପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ପ୍ରସୂତିଙ୍କ ପାଖରେ । ଅତ୍ୟଧିକ ଯନ୍ତ୍ରଣା ହେବାରୁ ଗାଁ ମୁଣ୍ଡ ନଦୀ କୂଳରେ ପ୍ରସବ କରିଥିଲେ ନୈନା । ସେଠାରେ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅତି ବିପଜ୍ଜନକ ଭବେ ନଦୀ ପଠାରେ ପ୍ରସବ କରାଯାଇଥିଲା। କିନ୍ତୁ ଜନ୍ମ ହେବାର କିଛି ସମୟ ମଧ୍ୟରେ ଆଖି ବୁଜି ଦେଇଥିଲା ନବଜାତ ଶିଶୁ । ତା ସହିତ ନୈନାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ହୋଇ ଯାଇଥିଲା । ସେହିଭଳି ଅବସ୍ଥାରେ ତାଙ୍କୁ ଅଟୋରେ ଆଣି ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ କିଛିଦିନ ପୁର୍ବେ କୋରାପୁଟ ଜିଲ୍ଳାରେ ଅସୁରକ୍ଷିତ ପ୍ରସବ ନେଇ ବାରମ୍ବାର ଖବର ପ୍ରକାଶ ପରେ ଆସନ୍ନ ପ୍ରସବାଙ୍କୁ ମା’ ଘରେ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଦୁର୍ଗମ ଅଞ୍ଚଳରେ ଜିଲ୍ଲାର ଗର୍ଭବତୀଙ୍କୁ ଟ୍ରାକ୍ କରାଯାଇ ସମ୍ଭାବ୍ୟ ପ୍ରସବ ତାରିଖର ୧୦ଦିନ ଆଗରୁ ସେମାନଙ୍କୁ ଅଣାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଫଳରେ ଗର୍ଭବତୀମାନେ ଆଉ ଏମିତି ଅସୁବିଧାରେ ପଡ଼ିବେ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଜିର ଘଟଣା ପୁଣିଥରେ କୋରାପୁଟ ଜିଲ୍ଲାର ପ୍ରଶାସନିକ ବିଫଳତାକୁ ପଦାରେ ପକାଇଛି ।