ସଲାମ୍ ମେରବାତ୍ ! ରୋଗୀକୁ ମାତୃତ୍ୱ ସୁଖ ଦେବାକୁ ଯାଇ ହରାଇଲେ ନିଜ ସନ୍ତାନ . . . ପଢନ୍ତୁ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତରଙ୍କ କାହାଣୀ

62

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । କିନ୍ତୁ ଏହି ଭଗବାନ୍ ସବୁ ସ୍ଥାନରେ ନଥାନ୍ତି । ତେଣୁ ଭଗବାନ୍ ମା’ ବନେଇଲେ । ତେବେ ଭାବନ୍ତୁ ଯଦି କୌଣସି ଡାକ୍ତର ମା’ ହୋଇଥିବେ ତାହେଲେ . . . । ଆପଣ ଭାବୁଥିବେ ଏହା ତ ସମସ୍ତେ ଜାଣନ୍ତି କୋଉ ନୂଆ କଥା । କିନ୍ତୁ ଏବେ ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏକଥାକୁ ସତ ପ୍ରମାଣିତ କରିଛନ୍ତି ।

ଘଟଣାଟି ହେଉଛି ଇଜିପ୍ଟର କାଇରା ସହରର । ଆଉ ଭଗବାନ୍ ସ୍ୱରୂପ ସେହି ମହିଳା ଡାକ୍ତରଙ୍କ ନାଁ ହେଉଛି ମେରବାତ୍ ମହମ୍ମଦ୍ ତଲତ୍ । ସୂଚନା ଅନୁସାରେ, ମେରବାତ୍ କାମ କରୁଥିବା ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ । ତେବେ ସେହି ସମୟରେ ମେରବାତଙ୍କ ବ୍ୟତୀତ ହସ୍ପିଟାଲରେ ଅନ୍ୟ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଆଉ ସବୁଠାରୁ ବଡ କଥା ହେଉଛି ମେରବାତ୍ ନିଜେ ମଧ୍ୟ ଗର୍ଭବତୀ ଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଆରାମ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

କିନ୍ତୁ ଏସବୁକୁ ଖାତିର୍ ନକରି ମହିଳାଙ୍କ ଅପରେସନ୍ କରିବାକୁ ବାହାରି ପଡିଲେ ମେରବାତ୍ । ହେଲେ ଅପରେସନ୍ ମଝିରେ ହିଁ ମେରବାତଙ୍କ ପେଟରେ କଷ୍ଟ ଆରମ୍ଭ ହୋଇଥିଲା । ଏହା ପରେ ତାଙ୍କ ରକ୍ତସ୍ରାବ ମଧ୍ୟ ହୋଇଥିଲା । ସେ ଜାଣିପାରିଲେ ଯେ ତାଙ୍କର ଗର୍ଭପାତ ହୋଇଯାଇଛି ବୋଲି । ତଥାପି ଅଟକି ଯାଇନଥିଲେ ମେରବାତ୍ । ଏପରିକି ଅନ୍ୟ ଡାକ୍ତରମାନେ ପହଂଚି ଯାଇଥିଲେ ମଧ୍ୟ ଅପରେସନକୁ ଅଧାରେ ଛାଡି ଯିବାକୁ ନାରାଜ ଥିଲେ ସେ ।

ଅପରେସନ୍ ତ ସଫଳ ରହିଲା କିନ୍ତୁ ମେରବାତଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ଯାହା ଫଳରେ ତାଙ୍କୁ ଆଡମିଶନ୍ ହେବାକୁ ପଡିଲା । ନିଜର ସିନା ଗର୍ଭପାତ ହୋଇଗଲା କିନ୍ତୁ ଅନ୍ୟ ଜଣଙ୍କୁ ମା’ ହେବାର ସୁଖ ଦେଇପାରିଥିବାରୁ ଖୁବ୍ ଖୁସି ଥିଲେ ମେରବାତ୍ । ଏହି ବଳିଦାନ ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ପୁରା ଦେଶ ଏବେ ମେରବାତଙ୍କୁ ସମ୍ମାନ ଓ ସଲାମ୍ କରୁଛି ।