ଚିତ୍ରକୋଣ୍ଡାରେ ବିଚିତ୍ର ଦୃଶ୍ୟ ! ଗୁରୁତର ପ୍ରସୂତିଙ୍କୁ ଡାକ୍ତରଖାନା ନେବା ପାଇଁ ରାଜି ହେଲେନି ଗାଁ ଲୋକ, ନିଜ କାନ୍ଧରେ ୮ କିଲୋମିଟର ବୋହି ହସ୍ପିଟାଲ ଆଣିଲେ ଡାକ୍ତର

36

କନକ ବ୍ୟୁରୋ: ଡାକ୍ତରଙ୍କ କାନ୍ଧରେ ବୁହା ହେଲେ ପ୍ରସୂତି । ପୁଣି ଏଭଳି ବିଚିତ୍ର ଦୃଶ୍ୟ ନଜରକୁ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ । ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ପଂଚାୟତର ଦୁର୍ଗମ ସାରିଗେଟା ଗାଁରେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛଟପଟ ହୋଉ ଥିବା ନେଇ ଚିତ୍ରକୋଣ୍ଡା ସମ୍ବାଦ ପ୍ରତିନିଧିଙ୍କ ନିକଟରେ ଖବର ପହଁଚି ଥିଲା । ସମ୍ବାଦ ପ୍ରତିନିଧି ଜିତେନ୍ଦ୍ର ରାଉତ ଖବର ସଂଗ୍ରହ କରିବା ପୁର୍ବରୁ ବାଟରେ ପଡୁ ଥିବା ପାପଲୁର ସ୍ୱାସ୍ଥକେନ୍ଦ୍ର ଡାକ୍ତରଙ୍କୁ ଏବାବଦରେ ଜଣାଇଥିଲେ । ପରେ ଡାକ୍ତର ଓ ଜଣେ ଆଟେନଡାନ୍ଟଙ୍କୁ ସାଙ୍ଗରେ ନେଇ ଅପହଁଚ ଗାଁରେ ପହଁଚିଥିଲେ ।

ଗର୍ଭବତୀ ମହିଳାଙ୍କ ବ୍ଲଡ ପ୍ରେଶର କମି ଆସୁଥିବା ସାଙ୍ଗକୁ ଆତ୍ୟାଧିକ ରକ୍ତ ସ୍ରାବ ଦେଖି ତୁରନ୍ତ ଗାଁରେ ହିଁ ପ୍ରସବ କରାଇଥିଲେ ପାପଲୁର ସ୍ୱାସ୍ଥକେନ୍ଦ୍ରର ଡାକ୍ତର ଓମକାର ହୋତା । ତେବେ ପ୍ରସୁତି ମହିଳାଙ୍କ ସ୍ୱାସ୍ଥାବସ୍ଥା ଠିକ ନ ଥିବା ରୁ ତାଙ୍କୁ ଡାକ୍ତରଖାନା ନେବା ଆବଶ୍ୟକ ପଡିବାରୁ ଭାରରେ ବୁହା ହୋଇ ପାପଲୁର ସ୍ୱାସ୍ଥ କେନ୍ଦ୍ର ନେବାକୁ ନିଷ୍ପତ୍ତି ହୋଇଥିଲା ।

ତେବେ ଗାଁ ଲୋକେ ଡାକ୍ତରଖାନାକୁ ଯିବା ଲାଗି ଅମଙ୍ଗ ହୋଇ ଥିବାରୁ ଖୋଦ ଡାକ୍ତର ଓମକାର ହୋତା ଓ ମହିଳାଙ୍କ ସ୍ୱାମି ଭାରରେ ବୋହି ଡାକ୍ତରଖାନା ଆଣିଥିଲେ ଡାକ୍ତର । ରାସ୍ତାଘାଟ ନ ଥିବାରୁ ନଇ ନାଳ ଅତିକ୍ରମ କରି ପ୍ରାୟ ୮ କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କରି ପାପଲୁର ପହଁଚିଥିଲେ ପ୍ରସୁତି ଓ ନବଜାତ । ବର୍ତମାନ ଉଭୟ ମା’ ଓ ନବଜାତ ସୁସ୍ଥ ଥିବା ଜଣାପଡିଛି ।