ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ଦିଆଯାଉଛି ଦାମୀ ଉପହାର ! ପୁରୀରୁ ଫ୍ଲାଇଂ ସ୍କ୍ବାଡ୍ ଜବତ କଲା ଫ୍ରିଜ ଓ ଗ୍ରାଇଣ୍ଡର

ଭୋଟରଙ୍କୁ ବାଣ୍ଟିବା ପାଇଁ ଆସୁଥିବା ଫ୍ରିଜ୍, ଟିଭି ଭର୍ତ୍ତି ଗାଡ଼ିକୁ ନିର୍ବାଚନୀ ଫ୍ଲାଇଂ ସ୍କ୍ବାଡ୍ ଜବତ କରିଛି

475

କନକ ବ୍ୟୁରୋ : ଭୋଟରଙ୍କୁ ବାଣ୍ଟିବା ପାଇଁ ଆସୁଥିବା ଫ୍ରିଜ୍, ଟିଭି ଭର୍ତ୍ତି ଗାଡ଼ିକୁ ନିର୍ବାଚନୀ ଫ୍ଲାଇଂ ସ୍କ୍ବାଡ୍ ଜବତ କରିଛି। ସେଥିରୁ ବହୁ ପରିମାଣରେ ଫ୍ରିଜ୍, ଗ୍ରାଇଣ୍ଡର, ଟିଭି ଓ ଇଣ୍ଡକ୍ସନ କୁକର୍ ଜବତ ହୋଇଛି। ତେବେ ସେସବୁ ସାମଗ୍ରୀ ବିଭିନ୍ନ ଲୋକଙ୍କ ନାମରେ ବିଲିଂ ହୋଇଥିବା ଗାଡ଼ି ଚାଳକ କାଗଜ ପୈଠ କରିଛନ୍ତି। ଜବତ ସାମଗ୍ରୀକୁ କଣାସ ଥାନାରେ ରଖାଯାଇଛି। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ।

ମିଳିଥିବା ସୂଚନା ଅନୁଯାୟୀ, ଏକ ମହିନ୍ଦ୍ରା ପିକ ଅପ ଭ୍ୟାନରେ (ଓଡ଼ି୦୨ଏଜେଡ୍-୨୮୭୬) ଟିଭି, ଫ୍ରିଜ୍ ବୋଝେଇ କରି କଣାସ ଆଡ଼କୁ ଯାଉଥିଲା। ଗାଡ଼ି ଉପରେ ସନ୍ଦେହ ହେବାରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଫ୍ଲାଇଂ ସ୍କ୍ବାଡ୍ ପିଛା କରି ଗାଡ଼ିଟିକୁ କଣାସ ଥାନା ଚୁପୁରିଂ ନିକଟରେ ଅଟକାଇଥିଲେ। ଯାଞ୍ଚ ବେଳେ ସେଥିରେ ୪ଟି ଗ୍ରାଇଣ୍ଡର, ୪ଟି ଫ୍ରିଜ୍, ଗୋଟିଏ ଇଣ୍ଡକ୍ସନ କୁକର ଓ ଟିଭି ଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ସ୍କ୍ବାଡ୍ ପକ୍ଷରୁ ପୁରୀ ଜିଲ୍ଲା ଫ୍ଲାଇଂ ସ୍କ୍ବାଡ୍ ମୁଖ୍ୟ ସଦାଶିବ ପଣ୍ଡାଙ୍କୁ ସୂଚନା ଦିଆଯାଇଥିଲା।

ଗାଡ଼ିର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ କେତେକ ବିଲ୍ ମିଳିଥିଲା, ଯେଉଁଥିରେ କିଛି ଲୋକଙ୍କର ସେହି ସାମଗ୍ରୀ ଉପରେ ବିଲ୍ ଥିବା ଦେଖିବାକୁ ମିଳିଛି। ତେବେ ବିଲ୍ ଅନୁଯାୟୀ ସାମଗ୍ରୀ ମେଳ ଖାଇନଥିଲା କି ଗାଡ଼ି ଚାଳକ ଏ ସଂପର୍କରେ ସଠିକ୍ ବିବରଣୀ ଦେଇ ପାରିନଥିଲେ। ତେଣୁ ଗାଡ଼ିଟିକୁ କଣାସ ଥାନାକୁ ପଠାଇ ଦେଇଥିଲେ ସ୍କ୍ବାଡ୍। ଜବତ ସାମଗ୍ରୀ ଯାଞ୍ଚ ପାଇଁ କଟକର ହୋଲସେଲର ମାଲିକଙ୍କୁ ଡକାଯିବା ସହ ଯେଉଁମାନଙ୍କ ନାମରେ ବିଲିଂ ହୋଇଥିଲା, ସେମାନଙ୍କୁ ମଧ୍ୟ ଡକାଯାଇଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଶ୍ରୀ ଦାଶ କହିଛନ୍ତି।