ପ୍ରସ୍ତୁତ ହେଉଛି ମୈଦାନ, ଆଗୁଆ ହେବ କି ଲଢେଇ ? ଉତ୍ତରପ୍ରଦେଶରୁ ଆସିବ ୧ ଲକ୍ଷ ଇଭିଏମ, ଆଗୁଆ ନିର୍ବାଚନ ନେଇ ମିଳିଲା ଆଭାସ ।

46

କନକ ବ୍ୟୁରୋ : ନଭେମ୍ବର ସୁଦ୍ଧା ସରିବ ନିର୍ବାଚନ ପ୍ରସ୍ତୁତି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ସୁଦ୍ଧା ନିର୍ବାଚନ ପ୍ରସ୍ତୁତି ସାରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି କ୍ରମରେ ଜୋରଦାର ହୋଇଛି ପ୍ରସ୍ତୁତି । ଆଜି ୧୬୬ ବିଡିଓଙ୍କ ସମେତ ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ତାଲିମ ଦିଆଯାଇଛି । ପୂର୍ବରୁ ଏହି ତାଲିମ୍ ଶିବିରରେ ଭାଗ ନେଇ ପାରିନଥିବା କିମ୍ବା ସଫଳତାର ସହ କୃତକାର୍ଯ୍ୟ ହୋଇନଥିବା ଅଧିକାରୀଙ୍କୁ ପୁଣି ଥରେ ଏଥିରେ ସାମିଲ କରାଯାଇଛି । ଆଉ ଏସବୁ ଭିତରେ ଉତରପ୍ରଦେଶରୁ ୧ ଲକ୍ଷ ଇଭିଏମ୍ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୨ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ବଡ ବଡ ଘୋଷଣା ଜାରି ରଖିଛନ୍ତି । ଏହି ସବୁ ପ୍ରକ୍ରିୟାକୁ ଦେଖିଲେ ଆଗୁଆ ନିର୍ବାଚନର ଏକ ସ୍ପଷ୍ଟ ଆଭାସ ବାରି ହୋଇ ପଡୁଛି ।

ରବିବାର, ଛୁଟି ଦିନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ଚଂଚଳତା, ଏବଂ ନିର୍ବାଚନ ପ୍ରସ୍ତୁତି ନେଇ ଯୁଦ୍ଧକାଳୀନ ପ୍ରସ୍ତୁତି, କିଛି ଏଭଳି ଦିଗକୁ ଇସାରା କରୁଛି, ଯାହା ଆଗୁଆ ନିର୍ବାଚନ ବିତର୍କକୁ ଆହୁରି ସରଗରମ୍ କରିଦେଇଛି । ବୁଥ ପୁନର୍ଗଠନ ଓ ଭୋଟର ତାଲିକା ସଂଶୋଧନ ନେଇ କିଛି ଦିନ ପୂର୍ବରୁ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ବେଳେ ଆଜି ୧୬୬ ବିଡିଓ, ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ତାଲିମ ଦିଆଯାଇଛି । ଆଉ ଏସବୁ ଭିତରେ ନିର୍ବାଚନ ପାଇଁ ଆବଶ୍ୟକ ଥିବା ଭିଭିପାଟ୍ ମେସିନ୍ ଏବଂ ଇଭିଏମ୍ ମେସିନ୍ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

-ଉତରପ୍ରଦେଶରୁ ୧ ଲକ୍ଷ ଇଭିଏମ୍ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି
-ଏଥିପାଇଁ ୨ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି
-ପୂର୍ବରୁ ଓଡ଼ିଶାକୁ ୧୨ ହଜାର ୨ଶହ ଭିଭିପାଟ୍ ମେସିନ୍ ଆସିସାରିଛି
-ଉତରପ୍ରଦେଶ ସମେତ ୬ଟି ରାଜ୍ୟରୁ ଇଭିଏସ୍ ଆସିବାର ଯୋଜନା ରହିଛି ।

general electionଏହି ସମସ୍ତ ପ୍ରକ୍ରିୟାକୁ ରୁଟିଂ କାର୍ଯ୍ୟକ୍ରମ ବୋଲି କୁହାଯାଉଛି ସତ । ହେଲେ ସରକାରୀ ଏବଂ ପର୍ଯ୍ୟାୟ କ୍ରମେ ତାଲିମ ଓ ପ୍ରଶିକ୍ଷଣ, ଏହି ସମସ୍ତ ବିନ୍ଦୁକୁ ଯଦି ଯୋଡ଼ି ଦିଆଯାଏ, ତେବେ କେଉଁଠି ନା କେଉଁଠି ଆଗୁଆ ନିର୍ବାଚନର ଆଭାସ ମିଳୁଛି ।ଏସବୁ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଡ ବଡ ଘୋଷଣା । ରାଜନୈତିକ ଦଳଗୁଡିକର ମନ୍ତ୍ରଣା ଏବଂ ରାଜ୍ୟରେ ଆଇଏଏସ୍, ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ବୋଧେ ସେହି ୨୦୧୯ ନିର୍ବାଚନର ଆଗୁଆ ପ୍ରସ୍ତୁତି ଆଡକୁ ଇସାରା କରୁଛି ।

କାର୍ଯ୍ୟକାଳ ଦୃଷ୍ଟିରୁ ନିର୍ବାଚନକୁ ଆହୁରୀ ୧୦ ମାସ ସମୟ ବାକି ଅଛି । ହେଲେ ନିର୍ବାଚନ ପାଇଁ ହେଉଥିବା ଯୁଦ୍ଧକାଳୀନ ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ସମୟ ପୂର୍ବରୁ ନିର୍ବାଚନ ହୋଇପାରେ । ଏଥିପାଇଁ ରାଜନୈତିକ ଦଳ ବି ପ୍ରସ୍ତୁତ ଥିବା ଦାବି କରୁଛନ୍ତି । ଏପରିକି କଂଗ୍ରେସ ଓ ବିଜେଡି ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ବିଜେପି କହିଛି, ନିର୍ବାଚନ ପୂର୍ବରୁ ସରକାରଙ୍କ ପୋଲ ଖୋଲିବାକୁ ଅଭିଯାନ ଆରମ୍ଭ କରିବ । ବିମୁଦ୍ରାକରଣ ନିଷ୍ପତି ଭଳି ହଠାତ୍ ସାଧାରଣ ନିର୍ବାଚନ ପାଇଁ ବି ଘୋଷଣା ହୋଇପାରେ କାରଣ ଏହା ହେଉଛି ନିର୍ବାଚନ ବର୍ଷ । ତେବେ ଆଗୁଆ ନିର୍ବାଚନ ନେଇ ବର୍ତମାନ କେବଳ ଆକଳନ କରାଯାଇପାରେ, କିନ୍ତୁ ଚୁଡାନ୍ତ ନିଷ୍ପତି ଦେଶର ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ହାତରେ ।