ନିର୍ବାଚନ ନେଇ ବଢୁଛି ଦ୍ୱନ୍ଦ ! ସମୟ ପୂର୍ବରୁ ପଡିବ କି ଭୋଟ୍ ? ସେପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ବିଜେଡି, ବିଜେପି ଓ କଂଗ୍ରେସ ।

29

କନକ ବ୍ୟୁରୋ : ଆଗୁଆ ହେବ କି ନିର୍ବାଚନ ? ସମୟ ପୂର୍ବରୁ ପଡିବ କି ଭୋଟ୍ ? ପ୍ରଶାସନିକ କଳର ଯୁଦ୍ଧକାଳୀନ ପ୍ରସ୍ତୁତି ଦେଖିଲେ ଏଭଳି କିଛି ପ୍ରଶ୍ନ ଆସିବା ସ୍ୱାଭାବିକ୍ । ପ୍ରଶାନସିକ ଅଧିକାରୀଙ୍କ ତତ୍ପରତା ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବସୁଥିବା ଘନଘନ ବୈଠକ, କିଛି ଏଭଳି ଇସାରା କରୁଛି ଯାହା ଆଗୁଆ ନିର୍ବାଚନ ବିତର୍କକୁ ଆହୁରି ସରଗରମ କରି ଦେଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିବା ଏବଂ ପ୍ରତି ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିବା, ଏହି ସମସ୍ତ ବିନ୍ଦୁକୁ ଯଦି ଯୋଡି ଦିଆଯାଏ ତେବେ କେଉଁଠି ନା କେଉଁଠି ଆଗୁଆ ନିର୍ବାଚନର ଆଭାଷ ମିଳୁଛି ।

ଆଉ ଏସବୁ ଭିତରେ ନିର୍ବାଚନ ପାଇଁ ଆବଶ୍ୟକ ଥିବା ଭିଭିପାଟ୍ ମେସିନ୍ ଏବଂ ଇଭିଏମ୍ ମେସିନ୍ ଆସିବା ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଭୋଟର ତାଲିକା ସଂଶୋଧନ, ବୁଥ ପୁର୍ନଗଠନ ଆଦି ପ୍ରକ୍ରିୟା ଜୋରଦାର ହୋଇଛି । ଓଡ଼ିଶାକୁ ୧୨ ହଜାର ୨ଶହ ଭିଭିପାଟ୍ ମେସିନ୍ ଆସି ସାରିଥିବା ବେଳେ ୬ଟି ରାଜ୍ୟରୁ ୯୬ ହଜାର ଇଭିଏମ୍ ମେସିନ୍ ମଧ୍ୟ ଖୁବଶୀଘ୍ର ଆସିବ ବୋଲି ସୂଚନା ଦିଆଯାଇଛି ।

ପ୍ରଶାସନିକ ସ୍ତରରେ ବୈଠକ ପରେ ବୈଠକ ବସିବା ଏବଂ ନିର୍ବାଚନ ପାଇଁ ଆବଶ୍ୟକୀୟ ଉପକରଣ ଓଡ଼ିଶାରେ ଠୁଳ ହେବା, ହୁଏତ ଆଗୁଆ ନିର୍ବାଚନ ଆଡକୁ ଇସାରା କରୁଥାଇପାରେ । କାରଣ ଧାର୍ଯ୍ୟ ଥିବା ନିର୍ବାଚନ ତାରିଖକୁ ପ୍ରାୟ ବର୍ଷେ ରହିଛି । ଆଉ ବର୍ଷେ ପୂର୍ବରୁ ଏତେ ବଡ ଧରଣର ପ୍ରସ୍ତୁତି ନିଶ୍ଚିତ ଭାବରେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି ।

ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ଆଗୁଆ ନିର୍ବାଚନ ନେଇ ଆକଳନ ହେବା, ମୌସୁମୀ ଅଧିବେଶନର ଅବଧି ସଂକୁଚିତ ହେବା ଏବଂ ଏକକ ନିର୍ବାଚନର ବିତର୍କ ଜୋରଦାର ହେବା ନିଶ୍ଚିତ ଭାବରେ ଏକ ଆଗୁଆ ନିର୍ବାଚନ ଆଡକୁ ଇସାରା କରୁଛି । ଏପଟେ ନିର୍ବାଚନ ଆଗୁଆ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ତେଣୁ ଆଗୁଆ ନିର୍ବାଚନ ହେବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି । ଆଗୁଆ ନିର୍ବାଚନକୁ ନେଇ ବର୍ତମାନ ସମୟରେ କେବଳ ଆକଳନ କରାଯାଇପାରେ, କିନ୍ତୁ ଚୁଡାନ୍ତ ମୋହର ମାରିବେ ଦେଶର ନିର୍ବାଚନ କମିଶନ ।