ଆଗୁଆ ନିର୍ବାଚନ ପ୍ରସଙ୍ଗ ! ନିର୍ବାଚନରେ କିଏ ମାରିବ ବାଜି, ରଣହୁଙ୍କାର ଦେଉଛନ୍ତି ଉଭୟ ଶାସକ ଓ ବିରୋଧୀ ।

41

ଆଗୁଆ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଜିଲ୍ଲାର ଅଧିକାରୀ ତଥା ଉପଜିଲ୍ଲାପାଲଙ୍କ ସହିତ ମରାଥନ ବୈଠକ ହେଉଛି । ମୁଖ୍ୟତଃ ଭୋଟର ତାଲିକା ସଂଶୋଧନ, ବୁଥ ପୁର୍ନଗଠନକୁ ନେଇ ବୈଠକ କରାଯାଉଛି ବୋଲି ସୁଚନା ମିଳିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଗୁଆ ନିର୍ବାଚନ ନେଇ ହେଉଥିବା ଏହି ପ୍ରସ୍ତୁତି ବୈଠକରେ କିଭଳି ଶାନ୍ତିସୃଙ୍ଖଳା ସହ ନିର୍ବାଚନ ହେବ ତାକୁ ସେନେଇ ସଜାଗ ହେବାପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟପଂଥା ଗ୍ରହଣ କରାଯଉଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି । ତେବେ ଆଗୁଆ ନିର୍ବାଚନକୁ ନେଇ ଶାସକ ଓ ବିରୋଧୀ ଦଳ ପ୍ରସ୍ତୁତ ଥିବା କହିଛନ୍ତି ।

ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ । ନିର୍ବାଚନ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାର ୨ଶହ ଭିବିପାଟ ମେସିସନ ମଧ୍ୟ ଓଡିଶା ଆସିସାରିଛି । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଆସାମ ଭଳି ୬ଟି ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୯୬ ହଜାର ଇଭିଏମ ମେସିନ ମଧ୍ୟ ଖୁବ ଶୀଘ୍ର ଆସିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ସିଇଓ କାଶିନାଥ ସାହୁ ।

ତେବେ ଆଗୁଆ ନିର୍ବାଚନ ନେଇ ବିଜେପି କହିଛି, ତୃଣମୂଳ ସ୍ତରରେ ବିଜେପି ତାର ସଂଗଠନ ମଜଭୁତ କରିଛି । ୧୨୦ ମିଶନ ପାଇଁ ସମସ୍ତ କାର୍ଯ୍ୟପଂଥା ଜାରି ରହିଛି । ଯେଉଁଥିପାଇଁ ପ୍ରତିନିର୍ବାଚନ ମଣ୍ଡଳୀରେ ପ୍ରଭାରୀ ନିଯୁକ୍ତ କରାଯାଇଛି । ୧୪୭ଟି ନିର୍ବାଚନ କ୍ଷେତ୍ରରେ ବିଜୟୀ ହେବାର ଦାବିଦାରଥିବା ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି । ସେପଟେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯଦି କାଲି ନିର୍ବାଚନ ହେବ ତାହାପାଇଁ ମଧ୍ୟ କଂଗ୍ରେସ ପ୍ରସ୍ତୁତ ଅଛି । କାରଣ ଅଗଷ୍ଟ ମାସ ଶେଷ ସୁଦ୍ଧା କଂଗ୍ରେସ ତାର ଆଗୁଆ ୫୦ଟି ଟିକେଟ ପ୍ରଦାନ କରିବ । କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏବେ କଂଗ୍ରେସ ବିଜେଡି ଓ ବିଜେପିକୁ ମାତ୍ ଦେବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ତାରା । ତେବେ ଉଭୟ ବିରୋଧୀଙ୍କ କାର୍ଯ୍ୟାକାଳାପ ଏବଂ ନିର୍ବାଚନୀ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖିଛି ବିଜେଡି । ଏହାସହ ବିଜେଡି ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହେଲେ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେହି ମୁଖପାତ୍ର ପ୍ରତାପ ଦେବ । ଏବେ କିଏ ମାରିବ ଆଗୁଆ ନିର୍ବାଚନରେ ବାଜି ତାକୁ ନେଇ ରାଜ୍ୟ ରାଜନୀତିରେ ରଣହୁଙ୍କାର ଦେଉଛନ୍ତି ଉଭୟ ଶାସକ ଓ ବିରୋଧୀ ।