କନକ ବ୍ୟୁରୋ : ଆଜି ରାଜ୍ୟ ସରକାର ପକ୍ଷରୁ ପ୍ରାକ୍ ବଜେଟ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ଓ ବହୁ ଆମନ୍ତ୍ରିତ ବିଶେଷଜ୍ଞ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ କୃଷି ଓ କୃଷକମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୁମିର ବିକାଶ ଏବଂ କର୍ମ ନିୟୋଜନ କ୍ଷେତ୍ରରେ ବଜେଟ ଆଗତ କରିବାକୁ ଆଲୋଚନା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ବର୍ଷ ନିର୍ବାଚନୀ ବର୍ଷ ଥିବା ବେଳେ ଲୋକଙ୍କୁ ସୁହାଇବା ପରି ବଜେଟ ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି । କାରଣ ୨୦୧୪ ନିର୍ବାଚନୀ ଘୋଷଣା ପତ୍ରରେ ବିଜେଡି ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ନେଇ ଆସନ୍ତା ବଜେଟରେ ଗୁରୁତ୍ୱଦେବା ସମ୍ଭାବନା ରହିଛି । ସେହିପରି ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ ଯାଇ କିଛି ନୂଆ ଯୋଜନା ଘୋଷଣା ହେବା ସମ୍ଭାବନା ରହିଛି । ଅନ୍ୟପଟେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ମଧ୍ୟ ଆଗାମୀ ବଜେଟରେ ରାଜ୍ୟ ସରକାର କେତେକ ପଦକ୍ଷେପ ନିଆଯିବା ସମ୍ଭାବନା ରହିଥିବା କୁହାଯାଉଛି ।
ଅନ୍ୟପଟେ ନିକଟ ଅତୀତରେ ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ନେଇ ହୋଇଥିବା ଘୋଷଣା ପାଇଁ ମଧ୍ୟ ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ । ସେହିପରି ଖଣିଖାଦାନ ଥିବା ଜିଲ୍ଲାରେ ଭିତିଭୂମିର ବିକାଶ ପାଇଁ ମଧ୍ୟ କିଛି ଘୋଷଣା ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ବେଆଇନ ଖଣି ଖନନ ଜରିମାନା ବାବଦରେ ରାଜ୍ୟ ସରକାର ବର୍ତମାନ ୮ ହଜାର ୨ଶହ କୋଟି ଟଙ୍କା ପାଇଛନ୍ତି । ଏହାଛଡା ଆସନ୍ତା ଡିସେମ୍ବରରେ କଳିଙ୍ଗ ଷ୍ଟାଡିଅମରେ ବିଶ୍ୱ ପୁରୁଷ ହକି କପ୍ ମୁକାବିଲା ହେବ । ଏହାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା ରଖିବା ସମ୍ଭାବନା ରହିଛି । ଫେବୁଆରୀ ମଧ୍ୟଭାଗରେ ୨୦୧୭-୧୮ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଆସିପାରେ ।