ଜଗାବଳିଆଙ୍କ ପାଇଁ ପ୍ରାର୍ଥନା କରୁଛି ସାରା ଓଡିଶା : କନ୍ଧମାଳ,କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା

24

କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ବାଲିଗୁଡାରେ ସର୍ବ ଧର୍ମପ୍ରାର୍ଥନା ସଭା ଆୟୋଜିତ ହୋଇଛି । ବିଭିନ୍ନ ଧର୍ମାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ବନବାସୀ ସେବା ସମିତିର ଅନ୍ତେବାସୀ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିବା ସହ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ଚର୍ଚ୍ଚରେ ମଧ୍ୟ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି । ବିଭିନ୍ନ ମନ୍ଦିରରେ ଜଗା ବଳିଆଙ୍କ ପାଇଁ ପୂଜା କରାଯାଇଛି ।

ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆରୋଗ୍ୟକାମନା କରି କଟକରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି । ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନାକରି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ପୁରୀରେ ବି ଜଗାବଳିଆଙ୍କ ପାଇଁ ପ୍ରାର୍ଥନା ଚାଲିଛି । ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦ୍ୱିପଜାଳି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପୁରୀବାସୀ । ମହାପ୍ରଭୁ ଜଗନ୍ନାଥ ଦୁଇ ଭାଇଙ୍କୁ ଶୀଘ୍ର ସୁସ୍ଥ କରି ଓଡିଶାକୁ ଫେରାଇ ଆଣନ୍ତୁ ବୋଲି ସମୂହ ପ୍ରାର୍ଥନା କରିଛନ୍ତି ।

ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଦିଲ୍ଲୀ ଏମ୍ସରେ ଶେଷ ହୋଇଛି । ଏକ ବିରଳ ଅପରେସନରେ ଉଭୟଙ୍କ ମୁଣ୍ଡ ଅଲଗା କରାଯାଇଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ଆଜି ସକାଳ ୧୦ଟା ବେଳେ ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ବି ସରିଛି । ବର୍ତ୍ତମାନ ସେମାନଙ୍କୁ ଆଇସିୟୁରେ ଅବଜେରଭେସନରେ ରଖାଯାଇଥିବା ସୂଚନା ମିଳିଛି ।