ରାଜନୀତିରେ ନୂଆ ଋଣନୀତି । ବାପା ଗଲେ ପୁଅ ଆସିଲେ । ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ଲଢିବେ ପୁଅ ।

କଟକ ଚୌଦ୍ୱାର, ବାଙ୍କୀ ଏବଂ ବାସୁଦେବପୁରରୁ ଏଥର ବାପାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ପୁଅ, ନବୀନ ନିବାସ ପହଂଚି ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ସୌଭିକ, ଦେବୀ ରଂଜନ ଏବଂ ବିଷ୍ଣୁବ୍ରତ ରାଉତରାୟ

131

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ଲଢିବେ ପୁଅ । ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତି ପରେ ଆଜି ତିନି ହେବିୱେଟ ବିଜେଡି ନେତାଙ୍କ ପୁଅମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଗଣମାଧ୍ୟମକୁ ତିନି ନେତାଙ୍କ ପୁଅ ଦେଇଥିବା ପ୍ରତିକ୍ରିୟାରୁ ଗୋଟିଏ ଆଭାସ ମିଳୁଛି । ଆଗାମୀ ନିର୍ବାଚନରେ ବାପାଙ୍କ ଦିଗଦର୍ଶନରେ କାମ କରିବେ ପୁଅ ।

ବାପା ନୁହେଁ ଏଥର ଲଢିବେ ପୁଅ । ନବୀନ ନିବାସର ଏହି ଚିତ୍ର କହୁଛି ରାଜ୍ୟ ରାଜନୀତିରେ ଦ୍ୱିତୀୟ ପିଢୀର ହୋଇଛି ଅଭ୍ୟୁଦୟ । ବାପା ବିଜୟଶ୍ରୀ ରାଉତରାୟଙ୍କ ସହିତ ନବୀନ ନିବାସ ଯାଉଛନ୍ତି ପୁଅ ବିଷ୍ଣୁପଦ ରାଉତରାୟ । ସେହିପରି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଏବଂ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଟିକେଟ ପାଇବା ପରେ ନିଜ ସମର୍ଥକଙ୍କ ସହ ଆସି ଆଜି ନବୀନଙ୍କୁ ସାକ୍ଷାତ କରିଛନ୍ତି ।

ଚିଟଫଣ୍ଡ ମାମଲାରେ ଯେତେବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଛନ୍ଦି ହୋଇଗଲେ ପ୍ରଶ୍ନ ଉଠିଥିଲା ଏହି ଆସନରୁ କାହାକୁ ପ୍ରାର୍ଥୀ କରିବେ ନବୀନ । ଯେଉଁଥିରେ ସ୍ୱଚ୍ଛ ନିର୍ମଳ ଭାବମୂର୍ତି ଉପରେ ଦାଗ ଲାଗିବନି । ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଅନୁରୁପ ଭାବେ ଚିଟଫଣ୍ଡର ମାୟାଜାଲରେ ଫଶି ରହିଛନ୍ତି । ତେଣୁ ବାଙ୍କିରୁ ଲଢିବ କିଏ । ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଭାତ ବିଶ୍ୱାଳ ଏବଂ ପ୍ରଭାତ ତ୍ରିପାଠୀ ନିଜ ଆଡୁ ନବୀନଙ୍କୁ ଚିଠି ଲେଖି ନିର୍ବାଚନ ଲଢିବେ ନାହିଁ ବୋଲି ଜଣାଇଦେଇଥିଲେ । ଆଉ ନବୀନ ବାପାଙ୍କ ବଦଳରେ ପୁଅମାନଙ୍କୁ ଓହ୍ଲାଇ ଦେଲେ ନିର୍ବାଚନୀ ମଇଦାନକୁ ।

ନବୀନଙ୍କୁ ଭେଟିବା ପରେ ଦେବୀରଞ୍ଜନ କହିଛନ୍ତି, ବାପା ତାଙ୍କ ପାଇଁ ପ୍ରଚାର କରିବେ । ୨୦୧୪ ଭଳି ଏଥର ମଧ୍ୟ ମା ଚର୍ଚ୍ଚିକା ଓ ବାଙ୍କୀ ଜନସାଧାରଣ ତାଙ୍କୁ ସମର୍ଥନ କରିବେ । ବିଷ୍ଣୁବ୍ରତ କହିଛନ୍ତି, ବାସୁଦେବପୁର ଅଚଂଳର ଭୋଟରଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି । ଯାହାକିଛି ସମସ୍ୟା ଅଛି ମିଳିତଭାବେ ତାର ସମାଧାନ କରାଯିବ । ସୌଭିକ ବି କହିଛନ୍ତି, ବାପାଙ୍କ ଦିଗଦର୍ଶନରେ କାମ କରିବେ । ସମସ୍ୟାର ସମାଧାନ ହେବା ସହ ସଙ୍ଗଠନ ବି ସୁଦୃଢ ରହିଛି ବୋଲି କହିଛନ୍ତି ।

ତେବେ ଚୌଦ୍ୱାର-କଟକ, ବାଙ୍କି ଏବଂ ବାସୁଦେବପୁର ଭଳି ୩ଟି ବିଧାନସଭା ଆସନରେ ତିନି ହେବିୱେଟ ବାପାଙ୍କ ପୁଅ ଲଢିବେ ନିର୍ବାଚନ । ଏପରି କରି ବିରୋଧୀଙ୍କୁ ଚକମା ଦେବାକୁ ଚେଷ୍ଟା କରିଛନ୍ତି ନବୀନା କାହିଁକି ନା ଚିଟଫଣ୍ଡ କେଳେଙ୍କାରିରେ ଫଶିଥିବା ୨ ବିଧାୟକଙ୍କୁ ଟିକେଟ ଦେଇଥିଲେ ଏହାକୁ ପ୍ରସଙ୍ଗ କରିଥାନ୍ତେ ବିରୋଧି । ଯେଉଁଥିରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ନବୀନ ।