କ୍ୟାମେରାକୁ ଦେଖି କାନ୍ଦିଲେ ବିଧାୟକ ! ହ୍ୱିଲ ଚେୟାରରେ ବସି ଅସୁସ୍ଥ ପ୍ରଭାତ ବିଶ୍ୱାଳ କହିଲେ, ନିସ୍ତେଜ ଲାଗୁଛି, ସତ୍ୟର ଜୟ ହେବ

29

କନକ ବ୍ୟୁରୋ : ବିଧାୟକଙ୍କ ଆଖିରେ ଲୁହ । ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଛନ୍ଦି ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ଏକ ଭିନ୍ନ ରୁପରେ ଦେଖିବାକୁ ମିଳିଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ପ୍ରଭାତ ବିଶ୍ୱାଳ କହିଛନ୍ତି- ବଂଚିବାକୁ ଚାହୁଁନି । ଜମି ଡିଲ୍ ମାମଲାରେ ଉତ୍ତର ରଖି କହିଛନ୍ତି- ମୁଁ ମିଛ କହିପାରେନି, ସତ୍ୟର ଜୟ ହେବ ।

ସତ୍ୟର ଜୟ ହେବ ବୋଲି ବହୁ କଷ୍ଟରେ ଦୁଇ ପଦ କଥା କହୁଥିବା କଟକ-ଚୌଦ୍ୱାର ବିଧାୟକଙ୍କ ଚେହେରାକୁ ଦେଖିଲେ ଲାଗୁଛି ଯେମିତି ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି । ସିବିଆଇ ଗିରଫ କରିବା ପରେ ଅସୁସ୍ଥ ହୋଇ କଟକ ମେଡ଼ିକାଲରେ ଭର୍ତି ହେବା ଏବଂ ଆଜି ସିଟି ସ୍କାନ ପାଇଁ ବାହାରିବାକୁ ଆସିବାର ଚିତ୍ର ଦେଖିଲେ ଲାଗୁଛି ମାତ୍ର ୮ ମାସ ଭିତରେ ଯେମିତି ସବୁ କିଛି ବଦଳି ଯାଇଛି । ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗତ ସେପ୍ଟେମ୍ବର ମାସରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ଏବେ ଅସୁସ୍ଥତା କାରଣରୁ କଟକ ବଡ ମେଡିକାଲରେ ଚିକିତ୍ସିତ ଅଛନ୍ତି ପ୍ରଭାତ ବିଶ୍ୱାଳ । ତାଙ୍କ ମେରୁଦଣ୍ଡ ଏବଂ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ୍ ବି ହୋଇଛି । କିନ୍ତୁ ଏହି କ୍ଷତ ଶୁଖୁନଥିବାରୁ ଆଜି ପୁଣିଥରେ ପ୍ରଭାତଙ୍କର ସିଟି ସ୍କାନ କରାଯାଇଥିଲା ।

prabhat biswal୨୦୧୪ରୁ ୨୦୧୭ ସିବିଆଇର ମାରାଥନ ଜେରାର ସମ୍ମୁଖୀନ ହୋଇଥିଲେ ପ୍ରଭାତ । ଏ ଭିତରେ ମୋଟ ୧୭ ଥର ଜେରା କରିଥିଲା ସିବିଆଇ । ଆଉ ଏହାପରେ ବନ୍ଧା ହୋଇଥିଲେ ବିଧାୟକ । ଆଉ ଏହା ପଛରେ ଥିଲା ଯାଜପୁରର ସେହି ବହୁ ଚର୍ଚ୍ଚିତ ଜମି ଡିଲ୍ । ୨୦୧୧ ମସିହା, ଯାଜପୁର ବେଣାପୁରରେ ଥିବା ୩୨ ଗୁଣ୍ଠ ଜମି ସିସୋରକୁ ବିକ୍ରି କରିଥିଲେ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ । ପ୍ରଶାନ୍ତ ଦାସ ଏଥିପାଇଁ ଚେକ୍ ଆକାରରେ ଦେଇଥିଲେ ୨୫ ଲକ୍ଷ ଟଙ୍କା । ପରବର୍ତୀ ସମୟରେ ଜମି କିଣିବା ନେଇ ସିସୋର ଅନିଚ୍ଛା ପ୍ରକାଶ କରିବାରୁ ଜମି ବଦଳରେ ଟଙ୍କା ଫେରସ୍ତ ମାଗିଥିଲେ ପ୍ରଶାନ୍ତ ଦାସ । ପ୍ରଭାତ ବିଶ୍ୱାଳଙ୍କ ଯୁକ୍ତି ଯେ, ସେ ୨୫ ଲକ୍ଷ ଟଙ୍କା ଫେରସ୍ତ କରିଛନ୍ତି । ହେଲେ ଏନେଇ ସେ ଯେଉଁ ପ୍ରମାଣ ଦେଲେ, ତାକୁ ବିଶ୍ୱାସକୁ ନେଇ ପାରିଲାନି ସିବିଆଇ ।
୨୦୧୧ର ଜମି ଡିଲ୍ ୨୦୧୪ ମସିହାରେ ଜୋର ଧରିଥିଲା, ଯେତେବେଳେ ସିବିଆଇ ଏହାକୁ ନେଇ ଖୋଳତାଳ ଆରମ୍ଭ କରିଥିଲା । ଆଉ ଦୀର୍ଘ ୩ବର୍ଷ ପରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ । ଆଇପିସିର ଧାରା-୪୬୭ ଅର୍ଥାତ୍ ମନ୍ଦ ଉଦ୍ଦେଶ୍ୟ ରଖି ତଥ୍ୟ ଜାଲ କରିବା, ୪୬୮ ଅର୍ଥାତ ଦସ୍ତାବିଜରେ ଜାଲିଆତି କରିବା, ୪୦୯ ବିଶ୍ୱାସ ଭଙ୍ଗ କରିବା, ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର କରିବା ଏବଂ ୪୨୦ ଅର୍ଥାତ୍ ଠକେଇ କରିବା ଭଳି ସଂଗୀନ ଦଫାରେ ମାମଲା ଚାଲିଛି ।ଆଉ ଏହି ୮ ମାସ ମଧ୍ୟରେ ବଦଳିଯାଇଥିଲା ପୂରା ଚିତ୍ର । ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ପ୍ରଭାତ ।