କଂଗ୍ରେସରେ ସାମିଲ ହେବେ ପ୍ରତ୍ୟୁଷା ! ୨୩ରେ ନୟାଗଡ଼ରେ ଆନୁଷ୍ଠାନିକଭାବେ ଧରିବେ ‘ହାତ’ ।

391

କନକ ବ୍ୟୁରୋ: କଂଗ୍ରେସରେ ଯୋଗଦେବେ କନ୍ଧମାଳ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ଗତକାଲି ବିଜେଡିକୁ ବାଏ ବାଏ କରିଥିବା ପ୍ରୁତ୍ୟଷା ଆସନ୍ତା ୨୩ ତାରିଖରେ କଂଗ୍ରେସରେ ବିଧିବଦ୍ଧଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ କହିବା ମୁତାବକ, ପ୍ରତ୍ୟୁଷା ରାଜେଶ୍ୱରୀ କେଉଁଠାରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ମିଶ୍ରଣ ନେଇ ଆଲୋଚନା ସରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ନୟାଗଡ଼ ଟିକେଟ୍ ପାଇଁ ଆଶାୟୀ ଥିବା ପ୍ରତ୍ୟୁଷା ଆସନ୍ତା ୨୩ ତାରିଖରେ ନୟାଗଡ଼ରେ ଏବ ବିଶାଳ ସମାବେଶରେ କଂଗ୍ରେସରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ତେବେ ଏହାକୁ ନେଇ କଂଗ୍ରେସ ଶିବିରରେ ମଧ୍ୟ ଉତ୍ସାହ ରହିଛି ବୋଲି କହିଛନ୍ତି ପିସିସି ସଭାପତି । ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତ୍ୟୁଷା ଯେକୌଣସି ମୁହୂର୍ତ୍ତରେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ନୟାଗଡ ବିଧାନସଭା ଆସନରୁ ସେ ନିର୍ବାଚନ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଗତକାଲି ପିସିସି ସଭାପତିଙ୍କ ସହ ଆଲୋଚନା ହୋଇଥିବା ବିଶ୍ୱସ୍ତସୁତ୍ରରୁ ଜଣାପଡ଼ିଥିଲା ।

କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଥିଲା । ଯେଉଁଥିପାଇଁ କନ୍ଧମାଳ ସାଂସଦ ଥିବା ପ୍ରତ୍ୟୁଷାଙ୍କ ଟିକେଟ କଟିଥିଲା । ଆଉ ଏହାପରେ ନିଜର ଅସନ୍ତୋଷ ଜାହିର କରିବା ସହ ଦଳରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା । ଏବଂ ଦଳରୁ ଇସ୍ତଫା ଦେଇ ଗତକାଲି ନୟାଗଡ ବିଧାୟକ ଅରୁଣ ସାହୁ ଓ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖଙ୍କ ଉପରେ ପ୍ରବଳ ବର୍ଷିଥିଲେ । କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଥିଲେ ପ୍ରତ୍ୟୁଷା ।