ବିଜେଡ଼ି ଛାଡ଼ିଲେ ପ୍ରତ୍ୟୁଷା ! ଦଳ ଅଣଦେଖା କରୁଥିବା ଅଭିଯୋଗ କରି ବିଜେଡ଼ି ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

403

କନକ ବ୍ୟୁରୋ : ବିଜେଡ଼ି ଛାଡ଼ିଲେ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଆଜି ବିଜେଡ଼ି ଛାଡ଼ିଛନ୍ତି ପ୍ରତ୍ୟୁଷା । କନ୍ଧମାଳ ଠାରୁ ବିଜେଡ଼ି ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ପ୍ରତ୍ୟୁଷା । ଚଳିତ ଥର ବିଜେଡ଼ି ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କନ୍ଧମାଳରୁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମିଳିଛି ଏମପି ଟିକେଟ ।

କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ଅରୁଣ ସାହୁ ଓ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ସେକହିଛନ୍ତି ତାଙ୍କୁ ୪ ବର୍ଷ ହେବ ବିଭିନ୍ନ ମାମଲାରେ ଛନ୍ଦି ହଇରାଣ କରୁଯାଉଛି । ଏନେଇ  ବାରମ୍ବାର ପାର୍ଟି ଫୋରମରେ ଜଣାଇଥିଲେ ସୁଦ୍ଧା କେହି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ଦଳର ନିର୍ଦ୍ଦେଶ ମାନିଛନ୍ତି, ହେଲେ କୌଣସି ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କାମ କରିବେ ନାହିଁ ବୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ବିଜେଡ଼ି ସୁପ୍ରିମୋ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହୁଥିବା ବେଳେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ସେ କହିଛନ୍ତି  । ସେପଟେ ଜଣେ ପରେ ଜଣେ ନେତା ବିଜେଡି ଦଳରୁ ଇସ୍ତଫା ଦେଉଥିବାରୁ ଏବେ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।

ସୂଚନାଯୋଗ୍ୟ ଗତକାଲି ଚର୍ଚ୍ଚା ହୋଇଥିଲା ବିଜେଡିର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେବେ । ସେ ନୟାଗଡ ବିଧାନସଭାରୁ ଲଢିବା ପାଇଁ ଆଗ୍ରାହୀ ଅଛନ୍ତି ବୋଲି କହିଥିଲେ । ଯଦି ବିଜେଡିରୁ ସୁଯୋଗ ନମିଳେ ତେବେ ସେ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ମଧ୍ୟ କହିଥିଲେ । ତେବେ ପ୍ରତ୍ୟୁଷା ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ନା ଅନ୍ୟ କୌଣସି ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।