କେମିତି ହୋଇଥିଲା ଅପହରଣ ? ପର୍ଦ୍ଦାଫାସ୍ ହେଲା ପ୍ରତୀକ ପଟୋଡିଆଙ୍କ କିଡନାପ୍ କାହାଣୀ

30

କନକ ବ୍ୟୁରୋ : କଲିକତାର ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଅପହରଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ବକେୟା ଅର୍ଥ ଅସୁଲ ଉଦେଶ୍ୟରେ ହିଁ ଅପହରଣ କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ନିଖିଲ କାନୋଡ଼ିଆ । ଏହି ଅପହରଣ ଘଟଣାରେ ଦୁଇ ଅପହୃତ ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଓ ତାଙ୍କ ଡ୍ରାଇଭର ରୋହିତ ତନ୍ତୀଙ୍କୁ ପୁଲିସ୍ ଉଦ୍ଧାର କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍ । ସେହିପରି ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । କଂଟାବାଞ୍ଜିର କପା ବ୍ୟବସାୟୀ ଅନିଲ ବଂଶଲଙ୍କ ଦୀର୍ଘ ବର୍ଷ ହେଲା ବ୍ୟବସାୟ କରି ଆସୁଥିଲେ ପ୍ରତୀକ ପଟୋଡ଼ିଆ । ବକେୟା ଅର୍ଥ ବାବଦକୁ ଅନିଲ ବାଂଶଲ ପ୍ରତୀକଙ୍କଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାର ଥିଲା । ହେଲେ ବାରମ୍ବାର ଟଙ୍କା ପାଇଁ ଦାବି କରୁଥିଲେ ସୁଦ୍ଧା ବକେୟା ରାଶି ନପାଇବାରୁ ଅପହରଣ ପାଇଁ ଯୋଜନା କରାଯାଇଥିଲା । ଅନିଲ ବଂଶଲ କିଛି କର୍ମଚାରୀଙ୍କୁ ନେଇ ଅପହରଣ ଯୋଜନା କରିଥିବା ଏସପି ସୂଚନା ଦେଇଛନ୍ତି। ପ୍ରତୀକ ଗତ ୨୨ ତାରିଖ କଲିକତାରୁ ସୁନ୍ଦରଗଡ଼ ତାଙ୍କ କଂପାନୀ ଅଶୋକ ମଲଟିୟାର୍ଣ୍ଣ ସୂତାକଳକୁ ଆସୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା।