ପବିତ୍ର ଗୃହରେ ପ୍ରତିପକ୍ଷଙ୍କୁ ପାଠପଢ଼ାଇଲେ, ପ୍ରଶଂସା କରିବାର ଫର୍ମୁଲା ଶିଖାଇଲେ ପ୍ରତାପ ଷଡ଼ଙ୍ଗୀ

336

କନକ ବ୍ୟୁରୋ: ପ୍ରତିପକ୍ଷଙ୍କୁ ପାଠ ପଢ଼ାଇଲେ ପ୍ରତାପ ଷଡଙ୍ଗୀ । ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ଗୃହରେ ବିରୋଧୀଙ୍କୁ ବିଦ୍ୟା ଦେଇଛନ୍ତି । କେମିତି ଭଲ ଲୋକଙ୍କୁ ଭଲ କୁହାଯିବ, ତାଙ୍କର ପ୍ରଶଂସା କରାଯିବ ସେ କଳାକୌଶଳ ଶିଖାଇଛନ୍ତି ପ୍ରତାପ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ପାଇଁ ପ୍ରତାପ ଭାଷଣ ଦେଲା ବେଳେ ବିରୋଧୀଙ୍କୁ ଏଭଳି ଶିକ୍ଷା ଦେଇଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବାକୁ ବିରୋଧୀ କାହିଁକି ମଙ୍ଗୁ ନାହାନ୍ତି । ତାଙ୍କ ଉନ୍ନୟନମୂଳକ କାମ, ଲୋକାଭିମୂଖୀ ଯୋଜନାକୁ କାହିଁକି ବିରୋଧୀ ପ୍ରଶଂସା କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ପ୍ରତାପ । ପ୍ରଶଂସା କରିବାରେ କେଉଁଠି ଅସୁବିଧା ରହୁଛି, କାହିଁକି ଏତେ କୁଣ୍ଠାବୋଧ ବୋଲି ପ୍ରତାପ ଆଜି ପବିତ୍ର ଗୃହରେ ସେମାନଙ୍କୁ ପଚାରିଥିଲେ । ଦିନରାତି ଏକ କରି ଦେଶ ପାଇଁ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିଶିଖ ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ସଂସଦରେ ଉଠାଇଥିଲେ ।

ପ୍ରତିପକ୍ଷଙ୍କୁ ପ୍ରଶଂସାର ଫର୍ମୁଲା ବତାଇବାକୁ ଯାଇ ପ୍ରତାପ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇଥିଲେ । ୧୯୭୧ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସା କରିବାରେ ହେଳା କରିନଥିଲେ ବାଜପେୟୀ । ଇନ୍ଦିରାଙ୍କ କାମକୁ ଭୁରିଭୁରି ପ୍ରଶଂସା କରିବାରେ କୌଣସି ଗୋଟିଏ ଶବ୍ଦ ଛାଡି ନଥିଲେ ବାଜପେୟୀ ଜୀ । ଇନ୍ଦିରା ଗାନ୍ଧୀଙ୍କୁ ‘ଦେବୀ ଦୁର୍ଗା’ ସହ ତୁଳନା କରିଥିଲେ ଅଟଳ । ତେଣୁ ଅଟଳଙ୍କ ଏହି ଉଦାରତା ଆଉ ବଡପଣରୁ ବିରୋଧୀ କିଛି ଶିକ୍ଷା କରିବା ଦରକାର । କେମିତି ଭଲକୁ ଭଲ କୁହାଯିବ ଶିଖିବା ଦରକାର । ତେଣୁ ବିରୋଧ କରୁଥିବା ଲୋକ ଇତିହାସ ପଢନ୍ତୁ, ଦେଶର ମହାପୁରୁଷ, ମହାନାୟକଙ୍କ ଜୀବନ କଥା ଜାଣନ୍ତୁ ବୋଲି ସିଧା କହିଛନ୍ତି ପ୍ରତାପ ।

ଗୃହରେ ବିରୋଧୀଙ୍କୁ ବିଦ୍ୟା ଦେବା ଛଳରେ ବିଭିନ୍ନ ପ୍ରସଙ୍ଗରେ ଘାଇଲା କରିଥିଲେ ପ୍ରତାପ । ମୋଦିଙ୍କ ବିଦେଶ ଗସ୍ତ ନେଇ ବିରୋଧୀ ଉଠାଉଥିବା ପ୍ରଶ୍ନକୁ ଦୋହରାଇ ତାର ଉତ୍ତର ରଖିଥିଲେ ପ୍ରତାପ । ବାରମ୍ବାର ବିଦେଶ ଗସ୍ତ କରି ମୋଦି ବିଶ୍ୱରେ ଭାରତର ନାଁକୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିଛନ୍ତି । ବିଭିନ୍ନ ଦେଶକୁ ଗସ୍ତ କରି ସମ୍ପର୍କକୁ ସୁଦୃଢ କରିଛନ୍ତି ମୋଦି । ମୋଦିଙ୍କ ଗସ୍ତ ପାଇଁ ସାରା ବିଭିନ୍ନ ଦେଶ ଭାରତକୁ ମିତ୍ର ଭାବରେ ଗଣୁଛି । ପଡୋଶୀ ପାକିସ୍ତାନ ବି ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି । ଏହା କେବଳ ବିଦେଶ ଗସ୍ତ ପାଇଁ ହିଁ ସମ୍ଭବ ହୋଇଛି ବୋଲି ପ୍ରତାପ ଶାଣିତ କଣ୍ଠରେ କହି ବିରୋଧୀଙ୍କ ଗାଲରେ ଚାପୁଡା ମାରିଛନ୍ତି ।

ଆତଙ୍କବାଦ କ୍ଷେତ୍ରରେ ମୋଦିଙ୍କୁ ବିରୋଧ କରୁଥିବା ବିରୋଧୀ । ତାଙ୍କୁ ଅକଳରେ ପକାଇବାକୁ ମହାଗଠବନ୍ଧନର ନାଟକ ରଚୁଥିବା ବିରୋଧୀ ସଂସଦରେ ବିରୋଧ କରୁଥିଲେ ବି ହୃଦୟରୁ ପ୍ରଶଂସା କରୁଥିବେ ବୋଲି ମୋର ବିଶ୍ୱାସ କହି ବିରୋଧୀଙ୍କୁ ରସୁଣ ବାଣ ମାରିଛନ୍ତି ବାଲେଶ୍ୱର ସାଂସଦ ।

ସାଧାରଣ ଜୀବନ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରତାପ ଆଜି ଗୃହରେ ଏଭଳି ଆଚରଣ କରି ପୁଣି ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ଚଳିତ ନିର୍ବାଚନରେ ବାଲେଶ୍ୱର ଲୋକସଭା କ୍ଷେତ୍ରରୁ କୋଟିପତି ନେତା ରବୀନ୍ଦ୍ର ଜେନାଙ୍କୁ ହରାଇ ଦିଲ୍ଲୀ ଯାଇଛନ୍ତି ପ୍ରତାପ । ପାଖରେ ଟଙ୍କା ନଥାଇ ବି ନିଜ ସ୍ୱଚ୍ଛ ମନୋଭାବ ଓ ନିଷ୍ଠାପର ସେବା ପାଇଁ ଲୋକେ କୋଟିପତିକୁ ନଭରସି ଜୀବନକୁ ବୁଝୁଥିବା, ଦୁଃଖ ବୁଝୁଥିବା ନେତାକୁ ଭୋଟ ଦେଇ ଏଥର ନିଜ ପ୍ରତିନିଧି କରିଛନ୍ତି ।