ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ, ଯିଏ ବନ୍ଦେ ମାତରମ୍ କହି ପାରିବନି ସିଏ ଦେଶ ଛାଡି ଚାଲିଯାଉ…

589

କନକ ବ୍ୟୁରୋ: ଯିଏ ବନ୍ଦେ ମାତରମ କହି ପାରିବନି ତାର ଦେଶରେ ରହିବାର ଅଧିକାର ନାହିଁ । ବନ୍ଦେ ମାତରମ ନକହି ପାରିଲେ ଦେଶରେ ରହିବାର ଅଧିକାର ନାହିଁ । ଏମିତି ଏକ ବୟାନ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ
ଯୋଗଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଯେଉଁମାନଙ୍କୁ ବନ୍ଦେ ମାତରମ କହିବା ଆସୁନି, ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ । ଲୋକଙ୍କୁ ମାଗଣା ବିଜୁଳି ଓ ପାଣି ଦେବା ଦ୍ୱାରା ଦେଶର ବିକାଶ ହେବ ନାହିଁ । ସିଏଏ ୭୦ ବର୍ଷ ପୂର୍ବରୁ ହେବାର ଥିଲା । ଆମର ପୂର୍ବତନ ନେତାମାନେ ଯେଉଁ ପାପ କରିଥିଲେ, ତାହାର ପ୍ରାୟଶ୍ଚିତ କରିବାକୁ ଯାଉଛୁ ।

ଦେଶ ବିଭାଜନ ସାମ୍ପ୍ରଦାୟିକ ଆଧାରକୁ ନେଇ କରାଯାଇଥିଲା । ଦେଶରେ ଅଢେଇରୁ ତିନି କୋଟି ମୁସଲମାନ ଥିଲେ । ଏବେ ଏହି ସଂଖ୍ୟା ୨୩ କୋଟିରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଛି । କଂଗ୍ରେସ ଯେଉଁ ପାପ କରିଥିଲା ତାହାର ପ୍ରାୟଶ୍ଚିତ ଆମେ ଏବେ କରୁଛୁ । ସେମାନଙ୍କର ଅସ୍ତିତ୍ବ ‌ସରି ସରି ଆସୁଥିବାରୁ ଦେଶରେ ନିଆଁ ଲଗାଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ କହିଥିଲେ ଯେ ଦେଶରେ ନିଆଁ ଲଗାଉଥିବା ଲୋକ ଦେଶପ୍ରେମୀ ନୁହନ୍ତି । ଯେଉଁମାନଙ୍କୁ ଭାରତର ସ୍ୱାଧୀନତା ସ୍ୱୀକାର ନାହିଁ ଓ ବନ୍ଦେ ମାତରମକୁ ସ୍ୱୀକାର କରୁନାହାନ୍ତି ସେମାନଙ୍କୁ ଦେଶରେ ରହିବାର ମଧ୍ୟ ଅଧିକାର ନାହିଁ ।