ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାର ପେଡି ‘ଉଜ୍ଜଳା’! ବିଭାଗରେ ଦୁର୍ନୀତି କରି ନିର୍ବାଚନୀ ଚାନ୍ଦା ଯୋଗାଡ କରୁଥିବା ଅଭିଯୋଗ ଆଣିଲେ ପ୍ରତାପ ଜେନା

145

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଗୋଟିଏ ପଟେ ଧର୍ମେନ୍ଦ୍ର ଉଜ୍ଜ୍ୱଳା ଯୋଜନାର ଆଇନା ଦେଖାଇ ଏହାର ସଫଳତା ବଖାଣୁଥିବା ବେଳେ ଏହାର ପ୍ରକୃତ ଲାଭ କିଏ ପାଉଛି ତାହା ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ପ୍ରତାପ । ପୂର୍ବରୁ ଧର୍ମେନ୍ଦ୍ର ଉଜ୍ଜଳା ଯୋଜନାକୁ ଗରିବଙ୍କ ଯୋଜନା ଓ ଏହା ଦେଶର ଅଧିକାଂଶ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇଛି ବୋଲି କହିଥିଲେ । ଏପରିକି ଓଡିଶା ବାସୀ ଏହି ଯୋଜନାର ଅଧିକ ଫାଇଦା ପାଇଛନ୍ତି ବୋଲି ପୂର୍ବରୁ ଅନେକଥର ସାମ୍ବାଦିକ ସମ୍ମଳନୀରେ କହି ଆସିଛନ୍ତି ଧର୍ମେନ୍ଦ୍ର ।

ତେବେ ଏହାର ଜବାବ ଦେଇ ପ୍ରତାପ କହିଛନ୍ତି, ଉଜ୍ଜ୍ୱଳାରେ ସବୁଠୁ ଅଧିକ ଦୁର୍ନୀତି ଓଡିଶାରେ ହୋଇଛି । ଆଉ ଏହାର ତାଜା ଉଦାହରଣ ହେଉଛି, ରାଜନଗରରେ ଉଜ୍ଜ୍ୱଳା ଦୁର୍ନୀତି । ଉଜ୍ଜ୍ୱଳା ଯୋଜନାର ସଫଳତାର ଡିଣ୍ଡିମ ଧର୍ମେନ୍ଦ୍ର ପିଟୁଥିବା ବେଳେ ଏଥିରେ ଭୂତ ହିତାଧିକାରୀଙ୍କୁ ଫାଇଦା ମିଳିଛି ବୋଲି କହିଛନ୍ତି ପ୍ରତାପ । ଯେଉଁ ହିତାଧିକାରୀ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ନାଁକୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରି ଟଙ୍କା ହଡପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ । ଏପରିକି କିଛି ଲୋକଙ୍କ ଅଜାଣତରେ ସେମାନଙ୍କ ନାଁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରି ତାହାର ଫାଇଦା ଉଠାଯାଉଛି  ।

ଏହାବାଦ ସମଗ୍ର ଭାରତରେ ଧର୍ମେନ୍ଦ୍ରଙ୍କୁ ଦୁର୍ନୀତିଗ୍ରସ୍ତ ଓ ଅପରାଧ ମାନସିକ ଗ୍ରସ୍ତ ବ୍ୟକ୍ତି ବୋଲି କହିବାକୁ ପଛାଇ ନାହାନ୍ତି ପ୍ରତାପ । ନିଜ ବିଭାଗରୁ ଦୁର୍ନୀତି କରି ନିର୍ବାଚନୀ ଚାନ୍ଦା ଆଦାୟ କରୁଛନ୍ତି । ବିଭିନ୍ନ ପେଟ୍ରୋଲ ପମ୍ପରୁ ମଧ୍ୟ ଏଭଳି କରି ଧର୍ମେନ୍ଦ୍ର ନିର୍ବାଚନୀ ଚାନ୍ଦା ଆଦାୟ କରି ଏହାକୁ ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ । ଏହାର ଝଲକ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ସ୍ଥାନୀୟ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରୁ ୪୬ ଲକ୍ଷ ଟଙ୍କା ଜବତ ହୋଇଥିଲା । ତେଣୁ ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ ଧର୍ମେନ୍ଦ୍ର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ବାସ୍ତବରେ କେତେ ଠିକ୍ ପ୍ରତାପଙ୍କ ବୟାନ ପରେ ତାହା ଉପରେ ଏବେ ପ୍ରଶ୍ନର ପାହାଡ ଛିଡା ହୋଇଛି ।

ତେବେ ପ୍ରତାପଙ୍କ ଅଭିଯୋଗର ଜବାବ ଦେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ନିଜ ବିଭାଗର ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ଅନ୍ୟ ଉପରେ ଦୋଷ ଲଦୁଛି । ପେଟ୍ରୋଲ ଓ ଡିଜେଲ କାରବାର ଟିକିନିକି ତଥ୍ୟ ପାଇଁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ରହିଛି । କିନ୍ତୁ ଏହାବାଦ୍ ଦୁର୍ନୀତି କିଭଳି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାବାଦ୍ ଉଜ୍ଜଳା ଭଳି ଯୋଜନାକୁ ରାଜ୍ୟ ସରକାର ସହି ପାରୁ ନାହାନ୍ତି ତେଣୁ ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ଗୋଲକ ।

Comments are closed.