ଜଗା-ବଳିଆଙ୍କୁ ନେଇ ଆଶା ଆଉ ଆଶଙ୍କା ! ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ୨ରୁ ୩ଦିନ ଭିତରେ ଆଇସିୟୁରୁ ବାହାରିବ ଜଗା

30

କନକ ବ୍ୟୁରୋ : ଧୀରେ ଧୀରେ ସୁସ୍ଥ ହେଉଛି ଜଗା । ଆଉ ଦୁଇ-ତିନି ଦିନ ପରେ ଜଗାକୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯିବ । ତେବେ ବଳିଆର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ରହିଛି । ଜଗା ଦେହରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ବଳିଆ ପାଇଁ ଆଉ କିଛି ଦିନ ଲାଗିପାରେ ବୋଲି ଆକଳନ କରୁଛନ୍ତି ଡାକ୍ତର । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଯାଇ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସେପଟେ ଜଗା-ବଳିଆଙ୍କ ମାଆ ଏମ୍ସର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅଢେଇ ବର୍ଷ ଧରି ଖୁବ ଅସ୍ୱାଭାବିକ ସ୍ଥିତି ଭିତରେ ଜଗା ବଳିଆଙ୍କୁ ପାଳନ କରି ଆସୁଥିବା ମାଆଙ୍କ ମୁହଁରେ ଦିଲ୍ଲୀର ଏମ୍ସ ହସପିଟାଲର ଡାକ୍ତରଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛନ୍ତି । ଏକ ଗରିବ ପରିବାରର ମହିଳା ବୋଧହୁଏ କେବେ ବିଶ୍ୱାସ କରିନଥିଲେ ସବୁଠାରୁ ବଡ଼ ହସ୍ପିଟାଲରେ ଦେଶର ବଛା ବଛା ଡାକ୍ତର ତାଙ୍କ ପୁଅକୁ ହୋଇଥିବା ବିଶ୍ୱର ସବୁଠାରୁ ଜଟିଳ ରୋଗର ଚିକିତ୍ସା କରିବେ ।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଯାଇ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ଭଲ ଖବର ହେଉଛି ଆଉ ଦୁଇ-ତିନି ଦିନ ପରେ ଜଗାକୁ ଆଇସିୟୁରୁ ସାଧାରଣ ୱାଡକୁ ସ୍ଥାନାନ୍ତର କରାଯିବ । କାରଣ ଜଗା ଦେହରେ ଉନ୍ନତି ପରିଲକ୍ଷିତ ହେଉଛି । ଡାକ୍ତରଙ୍କ କଥା ବୁଝିପାରୁଛି ଏବଂ ମଝିରେ ମଝିରେ ଗୋଡ ହାତ ବି ହଲାଉଛି ।

ସେପଟେ ବଳିଆର କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ରହିଛି । ଜଗା ଦେହରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ହୁଏତ ବଳିଆ ପାଇଁ କିଛି ସମୟ ଲାଗିପାରେ । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଏମ୍ସର ଡାକ୍ତରୀ ଦଳ ଏମାନଙ୍କ ଉପରେ ୨୪ ଘଂଟା ନଜର ରଖିଛନ୍ତି ।