ବଦଳିବ ଶିଶୁଭବନର ଭାଗ୍ୟ ! ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଦୁଇ ମାସ ମଧ୍ୟରେ ପରିବର୍ତ୍ତନ କରିଦେବୁ କାୟା

43

କନକ ବ୍ୟୁରୋ : ବଦଳିବ ଶିଶୁଭବନର ଭାଗ୍ୟ । ପୁଣି ଆକ୍ସନ ମୁଡରେ ପ୍ରତାପ ଜେନା । କଟକ ଶିଶୁଭବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଶ୍ରୀ ଜେନା କହିଛନ୍ତି ଯେ ବର୍ତ୍ତମାନ ସେଠାକୁ ଯେତିକି ପରିମାଣର ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି , ସେହି ତୁଳନାରେ ଭିତ୍ତିଭୂମିର ଅଭାବ ରହିଛି । ତେଣୁ ଶିଶୁଭବନର ବିଭିନ୍ନ ସମସ୍ୟାକୁ ଆସନ୍ତା ୨ ମାସ ମଧ୍ୟରେ ସାମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଭବନର ପରିମଳ ବ୍ୟବସ୍ଥା, ଅକାମୀ ହୋଇପଡିଥବା ଏସି ଓ ପଂଖା ଏବଂ ନିରାମୟ କେନ୍ଦ୍ରକୁ ଲୋକାଭିମୁଖୀ କରିବାପାଇଁ ନିଷ୍ପତି ନେଇଛନ୍ତି ପ୍ରତାପ ଜେନା ।

ସେହିପରି ଖାଲିପଡିଥିବା ପାରାମେଡିକାଲ୍ , ନର୍ସ ଆଦି ପଦବୀ ଗୁଡିକୁ ୭ ଦିନ ମଧ୍ୟରେ ପୁରଣ କରିବାକୁ କୁହାଯାଇଛି । ଏହା ସହ କୌଣସି ରୋଗୀ କିମ୍ବା ତାଙ୍କୁ ନେଇ ଆସିଥିବା ତାଙ୍କର ପରିବାର ସଦସ୍ୟ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏ ନେଇ ବିଭିନ୍ନ ପଦାଧିକାରୀମାନଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଶିଶୁ ଭବନକୁ ଚିକିତ୍ସା ନିମନ୍ତେ ଆସୁଥିବା ଶିଶୁ ମାନଙ୍କର ଠିକଣା ଭାବେ ଯତ୍ନ ନେବା ସହ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ କଡା ନିରଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସଚିବାଳୟରେ ଆଜି ଏନେଇ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶିଶୁଭବନର ବିଭିନ୍ନ ସମସ୍ୟାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଆର୍.ପି.ସିଂହ , ସ୍ୱତନ୍ତ୍ର ସଚିବ ଡାଃ କୈଳାସ ଚନ୍ଦ୍ର ଦାଶ , ଡି.ଇ.ଏମ୍.ଟି ପ୍ରଫେସର ପ୍ରକାଶ ମହାପାତ୍ର , ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ସିଦ୍ଧାର୍ଥ ଦାଶ , ଅଧିକ୍ଷକ ପ୍ରଫେସର ଶ୍ୟାମା କାନୁନଗୋ ,ଶିଶୁ ଭବନ ଅଧିକ୍ଷକଙ୍କ ସମେତ ବିଭାଗର ଅତିରିକ୍ତ ଶାସନ ସଚିବ , ପ୍ରଶାସନିକ ଅଧିକାରୀ ଏବଂ ପୂର୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।