ଓଡ଼ିଶାର ମୋଦି ‘ପ୍ରତାପ ଷଡ଼ଙ୍ଗୀ’ : ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଥିବା ବେଳେ ଟ୍ୱିଟରରେ ଏବେ ଚର୍ଚ୍ଚାରେ ବିଜୟୀ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ

6,194

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ମୋଦି ସୁନାମୀର ପ୍ରଚଣ୍ଡ ରୂପ ଦେଖିବା ପାଇଁ ମିଳିଛି । ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ସଂଖ୍ୟା ୩୫୧ରେ ପହଂଚିଛି । ସୋସିଆଲ ମିଡ଼ିଆ ଗୁରୁବାର ଠାରୁ ନିର୍ବାଚନୀ ରଙ୍ଗରେ ରଙ୍ଗେଇ ହୋଇଛି । ଆଉ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନରେନ୍ଦ୍ର ମୋଦି । ୨୦୧୪ର ମୋଦି ଲେହେର ଏବେ ମୋଦି ସୁନାମୀରେ ପରିଣତ ହୋଇଛି । ହେଲେ ଏଥିମଧ୍ୟରେ ଆଉ ଜଣେ ମୋଦିଙ୍କ ଚର୍ଚ୍ଚା ହେଉଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାଲେଶ୍ୱରର ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ତାଙ୍କୁ ଓଡ଼ିଶାର ମୋଦି କୁହାଯାଉଛି ।

ଓଡ଼ିଶାର ମୋଦି ପ୍ରତାପ ଷଡ଼ଙ୍ଗୀ । ୨୪ ମେରେ ଜଣେ ୟୁଜର ପ୍ରତାପ ଷଡ଼ଙ୍ଗୀଙ୍କ କିଛି ଫଟୋ ଟ୍ୱିଟରରେ ସେୟାର କରିଥିଲେ । ଆଉ ତା’ପର ଠାରୁ ଚର୍ଚ୍ଚାରେ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ । ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ସେ ତଳେ ବସି କିଛି କାଗଜପତ୍ର ସଜାଡ଼ୁଛନ୍ତି । ଅତି ସରଳ ଜୀବନଯାପନ କରୁଥିବା ଷଡ଼ଙ୍ଗୀ ତା’ପର ଠାରୁ ସୋସିଆଲ ମିଡ଼ିଆରେ ହୀରୋ ପାଲଟିଯାଇଛନ୍ତି । ସେହି ଟ୍ୱିଟର ହଜାର ହଜାର ରିଟ୍ୱିଟ୍ ହୋଇଛି ।

ସରଜ ଜୀବନ ବ୍ୟତୀତ କରୁଥିବା ପ୍ରତାପ ଷଡ଼ଙ୍ଗୀ ଅବିବାହିତ । ଗତ ବର୍ଷ ତାଙ୍କ ମା’ ଇହଧାମ ତ୍ୟାଗ କରିଛନ୍ତି । ଜଣେ ପୁରୁଖା ନେତା ହେବା ସହ ରାଜ୍ୟ ରାଜନୀତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲେ ମଧ୍ୟ ଏକ ଛୋଟ ଘରେ ଅତି ନିରାଡ଼ମ୍ବର ଜୀବନ ଯାଜନ କରନ୍ତି ପ୍ରତାପ । ତୃଣମୃତଳ ସ୍ତରରେ ତାଙ୍କ ପ୍ରତି ଲୋକଙ୍କ ସମଥନ ରହିଛି । ଲୋକଙ୍କ ସେବା କରିବା ତାଙ୍କ ନିଶା । ଧର୍ମ ଓ ଆସ୍ଥାରେ ପ୍ରତାପ ଷଡ଼ଙ୍ଗୀଙ୍କ ରୁଚି ରହିଛି । ସେ ୪ ଜାନୁୟାରୀରେ ୧୯୫୫ରେ ନୀଳଗିରିର ଗୋପିନାଥପୁରର ଏକ ସାଧାରରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଫକୀର ମୋହନ କଲେଜରୁ ସ୍ନାତ୍ତୋକ ଡିଗ୍ରି ହାସଲ କରିଛନ୍ତି । ପିଲାବେଳୁ ସେ ଅତି ଆଧ୍ୟାତ୍ମିକ ଚିନ୍ତାଧାରାର ।

ଓଡ଼ିଶାର ବାଲେଶ୍ୱରରୁ ବିଜୟୀ ହେବାପରେ ଦିଲ୍ଲୀଯିବା ପାଇଁ ସଜବାଜ ହେଉଛନ୍ତି ପ୍ରତାପ ସଡ଼ଙ୍ଗୀ । ଟ୍ୱିଟରରେ ଏବେ ତାଙ୍କର ହଜାର ହଜାର ପ୍ରଶଂସକ । ଗୋଟିଏ ପୋଷ୍ଟ ପରେ ଏବେ ତାଙ୍କର ଅନେକ ଫଟୋ ପୋଷ୍ଟ କରୁଛନ୍ତି ୟୁଜର । ଚଳିତ ନିର୍ବାଚନରେ ସେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ମାର୍ଜିନରେ ହରାଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ମୋଟ ୪୮୩୮୫୮ ଭୋଟ ପାଇଥିବା ବେଳେ ରବୀନ୍ଦ୍ର ଜେନାଙ୍କୁ ମିଳିଛି ୪୭୦୯୦୨ ଖଣ୍ଡ ଭୋଟ୍ । ସୂଚନାଯୋଗ୍ୟ ଗତ ୨୦୧୪ ନିର୍ବାଚନରେ ବିଜେଡ଼ିର ରବୀନ୍ଦ୍ର କୁମାର ଜେନାଙ୍କ ଠାରୁ ପରାଜିତ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ ।