୭୦୦ କୋଟି ଟଙ୍କାର ଚୂନା ଲଗାଇବା ପରେ ମଧ୍ୟ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ମୁହଁ ଟାଣ ! କହିଲେ ସତ୍ୟର ହେବ ଜୟ

40

କନକ ବ୍ୟୁରୋ : ସତ୍ୟର ଜୟ ହେବ । ସିସୋର କେବେ ଚିଟଫଣ୍ଡ କମ୍ପାନି ନଥିଲା । କିଛି ଏଭଳି କଥା ଆଜି ସିସୋର ଚିଟଫଣ୍ଡ ମହାଠକେଇର ମୁଖ୍ୟ ଖଳନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଦୀର୍ଘ ୪ ବର୍ଷ ଜେଲରେ ରହିବା ପରେ ହାଇକୋର୍ଟରୁ ବେଲ ପାଇ ମୁକୁଳିଥିଲେ ସିସୋର ଚିଟଫଣ୍ଡ କମ୍ପାନିର ମୁଖ୍ୟ ପ୍ରଶାନ୍ତ ଦାସ । ତେବେ ଝାରପଡା ଜେଲରୁ ମୁକୁଳିବା ପରେ ଗଣମାଧ୍ୟମ ଆଗରେ ସିସୋର କମ୍ପାନିର ପୂରା କାହାଣୀ ବଖାଣିଥିଲେ ପ୍ରଶାନ୍ତ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ।

seashoreସିସୋର କମ୍ପାନି କେବେ ଚିଟଫଣ୍ଡ କମ୍ପାନି ନଥିଲା ।ଏହା ଲୋକଙ୍କର ଭୂଲ ଧାରଣା ।ସିସୋର ଚିଟଫଣ୍ଡ କମ୍ପାନି ନୂୁହେଁ ବୋଲି ଆଗାମୀ ଦିନରେ କୋର୍ଟରେ ପ୍ରମାଣିତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଶାନ୍ତ । ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ ହଠାତ୍ ସିସୋର କମ୍ପାନି ଉପରକୁ ସୁନାମି ମାଡି ଆସିଲା । ମେ ୨୯ ତାରିଖ ମିଡନାଇଟ ଅପରେସନ ପରେ ହଠାତ୍ କମ୍ପାନି ଉପରକୁ ସୁନାମି ମାଡି ଆସିଲା । ଏ ବିଷୟରେ କିଛି ବୁଝିବା ପୂର୍ବରୁ ସବୁକିଛି ସରିଯାଇଥିଲା । ତେବେ ମେ ୨୯ ମିଡ ନାଇଟ ଅପରେସନ ସହ ସିସୋର କମ୍ପାନିର ଲିଙ୍କ ନେଇ ମୁହଁ ଖୋଲିନଥିଲେ ପ୍ରଶାନ୍ତ । କିନ୍ତୁ ଗୋଟିଏ କଥା ବାରମ୍ବାର ଦୋହରାଉଥିଲେ କି ସିସୋର ପୂର୍ବରୁ କୌଣସି ରାଜନୈତିକ ଦଳ ସହ ନଥିଲା କି ଏବେ ମଧ୍ୟ ନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ସିସୋର ସହ କୌଣସି ରାଜନୈତିକ ଦଳର ସର୍ମ୍ପକ ନଥିଲା ତେବେ ସିସୋର ଲିଙ୍କରେ କିଛି ପ୍ରଭାବଶାଳୀ ନେତା ଗିରଫ ପଛର ରହସ୍ୟ କଣ । ଏହାସହ ସିସୋରର ପ୍ରତି କାର୍ଯ୍ୟକ୍ରମରେ ରାଜନୈତିକ ନେତାଙ୍କ ଉପସ୍ଥିତି ପ୍ରଶାନ୍ତ ଦାସଙ୍କ ବୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ସିସୋର ଲିଙ୍କରେ ସିବିଆଇ ନବୀନ ନିବାସ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଯାଇଥିଲା ।ଯାହା ରାଜ୍ୟ ରାଜନୀତିରେ କିଛି ସମୟ ପାଇଁ ହଲଚଲ ସୃଷ୍ଟି କରିଥିଲା ।

seashoreତେବେ ସିସୋର ତଦନ୍ତ ବେଳେ ଶୁଭଙ୍କରଙ୍କ ଡାଏରୀ ଯେତେବେଳେ ସାମନାକୁ ଆସିଲା, ସେତେବେଳେ ବରିଷ୍ଠ ପୁଲିସ ବାବୁଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ଲୋକ ସିବିଆଇ ସ୍କାନରକୁ ଆସିଗଲେ । ଅଭିଯୋଗ ହେଲା ପ୍ରଶାସନିକ କଳ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ସିସୋର ପାଇଁ ଦଲାଲି କରୁଥିଲେ ଶୁଭଙ୍କର । ଶୁଭଙ୍କରଙ୍କୁ ଗିରଫ କରିବା ସହ ତାଠାରୁ ମିଳିଥିବା ସୂଚନା ଅନୁଯାୟୀ ଚଢାଉ ଜାରି ରଖିଲା ସିବିଆଇ । ଆଇପିଏସ ଅଧିକାରୀ ସତୀଶ ଗଜଭିୟେ, ରାଜେଶ କୁମାରଙ୍କୁ ଜେରା କଲା ସିବିଆଇ । ଆଉ ଜଣେ ଅଧିକାରୀ ମଧ୍ୟ ସଂଦେହ ଘେରକୁ ଆସିଥିଲେ । ସିସୋର ପାଇଁ ସରକାରୀ ବାବୁଙ୍କ ସହ ଯୋଗସୁତ୍ର ସ୍ଥାପନ କରୁଥିବା ମୁଖ୍ୟ କାର୍ପେଟଦାର ଶୁଭଙ୍କରକୁ ଚିହ୍ନି ନାହାନ୍ତି ବୋଲୀ ରୋକଠୋକ କହିଛନ୍ତି ପ୍ରଶାନ୍ତ । ଜେଲରୁ ବାହାରିବା ପରେ ଶୁଭଙ୍କର କିଏ ବୋଲି ପ୍ରଶ୍ନ କରିଥିଲେ ପ୍ରଶାନ୍ତ । ତେବେ ଏଠି ପ୍ରଶ୍ନ ଉଠୁଛି ସିସୋର ଚିଟଫଣ୍ଡର ଚର୍ଚ୍ଚିତ ଚେହେରା ଶୁଭଙ୍କରଙ୍କୁ ଏତେ ଶୀଘ୍ର ପ୍ରଶାନ୍ତ ଭୁଲିଗଲେ କିପରି?

ତେବେ ଗଣମାଧ୍ୟମ ଆଗରେ ପ୍ରଶାନ୍ତ କହିଛନ୍ତି, ଚିଟଫଣ୍ଡରେ ଟଙ୍କା ହରାଇଥିବା ସମସ୍ତ ଲୋକ ପଇସା ଫେରିପାଇବେ । କାରଣ ଯେତିକି ଲୋକଙ୍କୁ ଟଙ୍କା ଦିଆଯିବାକୁ ଥିଲା ତାହାଠାରୁ କମ୍ପାନିର ସମ୍ପତି ଅଧିକ ଅଛି ତେଣୁ ଲୋକଙ୍କୁ କିପରି ପଇସା ମିଳିବ ଓ କର୍ମଚାରୀଙ୍କୁ କିପରି ପୁଣିଥରେ ନିଯୁକ୍ତି ମିଳିବ ତାହା ତାଙ୍କର ପ୍ରଥମ କତ୍ତବ୍ୟ ହେବ ବୋଲି କହିଛନ୍ତି ପ୍ରଶାନ୍ତ । ତେବେ ସିସୋର କମ୍ପାନି କାହାକୁ ଚୂନା ମାରିନାହିଁ ଏବଂ ସତ୍ୟର ଜୟ ହେବ ବୋଲି କହିବା ସହ ମାନ୍ୟବର କୋର୍ଟ ତାଙ୍କ କଥା ଶୁଣିବେ ବୋଲି କହିଛନ୍ତି ପ୍ରଶାନ୍ତ । ତେବେ ଦେଖିବାକୁ ବାକି ରହିଲା ପ୍ରଶାନ୍ତଙ୍କ କଥାରେ କେତେ ସତ୍ୟତା ରହିଛି ଓ ଜମାକରୀଙ୍କୁ କେବେ ତାଙ୍କ କଷ୍ଟ ଅର୍ଜିତ ଟଙ୍କା ମିଳୁଛି ।