ପ୍ରତିଶ୍ରୁତି ରଖିଲେନି ସୁପ୍ରିମୋ, ପାଟ୍ଟଶାଣୀ ଗାଇଲେ ବିରହ କବିତା । ସେପଟେ ପ୍ରାର୍ଥୀ ନହେବା ପରେ ବି ତୁଟିନାହିଁ ଚ୍ୟାଉପଟ୍ଟନାୟକଙ୍କ ଭରସା ।

549

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ସୁପ୍ରିମୋଙ୍କ ଠାରୁ ପ୍ରତିଶ୍ରୁତି ପାଇଥିବା ନେତା ପରୋକ୍ଷରେ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁହଁରେ ଆଜି ବିରହ କବିତା ଶୁଣିବାକୁ ମିଳିଛି । ସେପଟେ ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ସୁପ୍ରିମୋଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି । ୨୦୨୦ ଏପ୍ରିଲରେ ପୁଣି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ଉଭୟ ନେତା ଅପେକ୍ଷା କରିଛନ୍ତି ନବୀନଙ୍କ ପରବର୍ତ୍ତୀ ନିଷ୍ପତିକୁ ।

ମିଳିଲାନି ରାଜ୍ୟସଭା ଟିକେଟ୍ । ପାଟ୍ଟଶାଣୀ ଗାଇଲେ ବିରହ କବିତା । ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପାଂଚ ପାଂଚ ଥର ସଂସଦକୁ ଯାଇଥିବା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ଖୋଲାଖୋଲି ବିରୋଧ କରିନାହାନ୍ତି ସତ ହେଲେ, ରାଜ୍ୟସଭା ଟିକେଟ୍ ମିଳିନଥିବାରୁ ତାଙ୍କୁ ଦୁଃଖ ଲାଗିଥିବା ସ୍ପଷ୍ଟ କରିଛନ୍ତି । କବିତା ମାଧ୍ୟମରେ ମନକଥା କହିଛନ୍ତି ପାଟ୍ଟଶାଣୀ । ବାବାଙ୍କ ଦୃଢ ବିଶ୍ୱାସ, ନବୀନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ଏବଂ ପରବର୍ତୀ ସମୟରେ ତାଙ୍କୁ ରାଜ୍ୟସଭା ପଠାଇବେ ।

ସେପଟେ ଆଶା ଛାଡିନାହାନ୍ତି ଚ୍ୟାଉପଟ୍ଟନାୟକ । ନବୀନଙ୍କ ଉପରେ ସେ ଭରସା ରଖିଛନ୍ତି । ବ୍ରହ୍ମପୁରରୁ ଲଗାତର ୫ ଥର ବିଧାୟକ ରହିସାରିଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ସୁପ୍ରିମୋଙ୍କ ନିଷ୍ପତିରେ ଖପ୍ପା ହୋଇନାହାଁନ୍ତି । ଅପେକ୍ଷା କରିଛନ୍ତି ନବୀନଙ୍କ ପରବର୍ତୀ ନିଷ୍ପତିକୁ । ଏଥର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ୍ ମିଳିନଥିଲା । ହେଲେ ମିଳିଥିଲା ରାଜ୍ୟସଭା ପାଇଁ ପ୍ରତିଶ୍ରୁତି । ଚ୍ୟାଉପଟ୍ଟନାୟକଙ୍କ ବିଶ୍ୱାସ, ଏଥର ନହେଲେ ନାହିଁ, ନବୀନ ତାଙ୍କୁ ଆଗକୁ ରାଜ୍ୟସଭା ପଠାଇବେ ।

ବାବା ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବେ ଅପେକ୍ଷା କରିଛନ୍ତି ବିଜେଡି ସୁପ୍ରିମୋଙ୍କ ପରବର୍ତୀ ନିଷ୍ପତିକୁ । ୨୦୨୦ ଏପ୍ରିଲରେ ପୁଣି ଖାଲି ହେଉଛି ରାଜ୍ୟସଭା ଆସନ । ଆଉ ସେହି ଆସନରୁ ସଂସଦ ଯିବାକୁ ମନ ବଳାଇଛନ୍ତି ଉଭୟ ନେତା ।