ରାଜ୍ୟସଭା ରେସ, ପୁରୁଣା ପ୍ରତିଶୃତି କଥା ମନେପକାଇଲେ ପାଟ୍ଟଶାଣୀ । କହିଲେ, ସୁପ୍ରିମୋ ଯାହା କୁହନ୍ତି, ତାହା କରନ୍ତି ।

581

କନକ ବ୍ୟୁରୋ : କଥା ରଖିବେ ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି, ଏଭଳି କହି ରାଜ୍ୟସଭା ରେସରେ ନିଜକୁ ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ ଆଣିଛନ୍ତି ପାଟ୍ଟଶାଣୀ । ଓଡିଶାର ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରେସରେ ଅନେକ ନାଁ ସାମ୍ନାକୁ ଆସୁଛି । ବିଧାନସଭାରେ ସଂଖ୍ୟାଗରିଷ୍ଠ ଥିବା ବିଜେଡି ହାତକୁ ଏହି ୩ ଆସନ ବିଜେଡି ହାତକୁ ଯିବା ଅଧିକ ସମ୍ଭାବନା ରହିଥିବା ବେଳେ ଦଳର ସୁପ୍ରିମୋ କାହାକୁ ନିଜର ଦିଲ୍ଲୀ ସିପାହୀ ବାଛିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଉ ଏଭଳି ସମୟରେ ନବୀନଙ୍କୁ ପରୋକ୍ଷରେ ପୁରୁଣା ପ୍ରତିଶୃତି କଥା ମନେପକାଇ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ସୁପ୍ରିମୋଙ୍କ କଥା ମାନି ନିର୍ବାଚନ ଲଢିନଥିଲି । ଯେତେବେଳେ ଦଳର ହାତ କିଛି ପୁରୁଣା ନେତା ଛାଡୁଥିଲେ ସେତେବେଳେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାମ କରିଥିଲି । ସାଧାରଣ ନିର୍ବାଚନରେ ଲଢିବାକୁ ସୁପ୍ରିମୋ ମନା କରିଥିଲେ ମଧ୍ୟ ରାଜ୍ୟସଭା ପଠାଇବାକୁ ଘୋଷଣା କରିଥିଲେ ।

ଆଉ ନବୀନ ଯାହା କହନ୍ତି ତାହା କରନ୍ତି । ନବୀନଙ୍କ ଉପରେ ଏହି ବିଶ୍ୱାସ ପୂରା ଓଡିଶାବାସୀଙ୍କର ରହିଥିବା ବେଳେ ମୁଁ କେମିତି ବାଦ୍ ପଡିବି ବୋଲି ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଥା ମାନୁଥିଲି ଓ ଆଗକୁ ମଧ୍ୟ ମାନିବି । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଓ ଭରସା ରହିଛି । ଏଭଳି କହି ପାଟ୍ଟଶାଣୀ ରାଜ୍ୟସଭା ଟିକେଟ ପାଇଁ ପରୋକ୍ଷରେ ନିଜ ପାଇଁ ଲବି କରିଛନ୍ତି । ଏସବୁ ଭିତରେ ଚଳିତ ନିର୍ବାଚନରେ ବିଜେଡିର କିଛି ହେଭିୱେଟ୍ ନେତାଙ୍କର ପରାଜୟ ଘଟିଛି ଏବଂ ସେମାନଙ୍କୁ ମଧ୍ୟ ଥଇଥାନ କରି ପାରନ୍ତି ବିଜେଡି ସୁପ୍ରମୋ । ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ବଲାଙ୍ଗୀରର ପୂର୍ବତନ ସାଂସଦ ଅନଙ୍ଗଉଦୟ ସିଂହଦେଓ, ରାଜ୍ୟସଭା ରେସରେ ଥିବା ଚର୍ଚ୍ଚା ହେଉଛି । ସେହିପରି ବ୍ୟୁରୋକ୍ରାଟ୍ ତଥା ବିଜେଡି ମୁଖପାତ୍ର ଅରୂପ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି ।