ପୁଣି ରାଜ୍ୟ କଂଗ୍ରେସ ପରିବାରରେ ଝଗଡା : ପିସିସି ସଭ୍ୟ ଚୟନକୁ ନେଇ ପ୍ରସାଦଙ୍କୁ ଖୋଲା ଆକ୍ରମଣ କଲେ ବିଧାୟକ

23

କନକ ବ୍ୟୁରୋ : ବୁଧବାର କଂଗ୍ରେସ ଭବନରେ ବୈଠକ ପରେ ଆରମ୍ଭ ହୋଇଗଲା ବିରୋଧୀଦଳ ନେତାଙ୍କ ବାସଭବନରେ କବାଟକିଳା ବୈଠକ । ଛିଣ୍ଡିବା ବଦଳରେ ବଢି ଚାଲିଛି କଂଗ୍ରେସର ଗୋଷ୍ଠୀ କନ୍ଦଳ । ପିସିସି ସଭ୍ୟ ଚୟନ ନେଇ କୁହୁଳୁଛି ଅସନ୍ତୋଷର ନିଆଁ । ବିଧାୟକ ଦଳ ଓ ବରିଷ୍ଠ ନେତାଙ୍କୁ ଅଣଦେଖା କରି ସଭାପତି ପ୍ରସାଦ ହରିଚନ୍ଦନ ଏକଚାଟିଆ କାରବାର କରୁଥିବା ଅଭିଯୋଗ ଉଠିଛି ।

ପିସିସ ସଭ୍ୟ ଚୟନକୁ ନେଇ ଏହି ନୂଆ ବିବାଦ ଆରମ୍ଭ ହୋଇଛି । ନିଜ ସମର୍ଥକଙ୍କୁ ପିସିସି ସଭ୍ୟ କରି ପ୍ରସାଦ ଦଳୀୟ ପରମ୍ପରାକୁ ଭାଙ୍ଗିଥିବା କହିଛନ୍ତି ବିଧାୟକ । ପ୍ରକୃତ କର୍ମୀଙ୍କ ବଦଳରେ ନିଜ ଅନୁଗତଙ୍କୁ ପ୍ରସାଦ ପିସିସି ତାଲିକାରେ ସ୍ଥାନ ଦେଇଛନ୍ତି । ଏ ନେଇ ଗତ କାଲି ନବଗଠିତ ପିସିସି ବୈଠକରେ ପ୍ରଦେଶ ରିଟର୍ଣ୍ଣିଂ ଅଫିସର ସୈାମେନ ମିତ୍ରଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

ସେପଟେ ପସାଦ ହରିଚନ୍ଦନଙ୍କ ମନମାନିକୁ ବିରୋଧ କରି ପିସିସି ସଭ୍ୟ ପଦ ପାଇଁ ଆଶାୟୀ ଥିବା କିଛି ପୁରୁଣା କର୍ମୀ ଦଳ ମଧ୍ୟ ଛାଡିଛନ୍ତି । ପିସିସି ସଭାପତି ଚୟନ ପାଇଁ ହାଇକମାଣ୍ଡଙ୍କୁ ସଂକଳ୍ପ କରି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ କଂଗ୍ରେସର ସମସ୍ତ ନେତା । ଏହା ସହିତ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଅଧ୍ୟକ୍ଷ ପଦ ମିଳିବା ନେଇ ସମର୍ଥନ ଦେଇଛନ୍ତି । ତେଣୁ ହାଇକମାଣ୍ଡଙ୍କ ଖୁବ୍ ଶୀଘ୍ର କିଛି ନିଷ୍ପତ୍ତି ନେବେ ବୋଲି ଆଶା କରିଛନ୍ତି ରାଜ୍ୟ କଂଗ୍ରେସ ନେତା ।