ବଦଳିବେନାହିଁ ରାଜ୍ୟ କଂଗ୍ରେସ ମୁଖିଆ ! ପ୍ରସାଦଙ୍କ ହାତରେ ୨୦୧୯ ଦାୟିତ୍ୱ

25

କନକ ବ୍ୟୁରୋ : ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାକୁ ଗ୍ରହଣ କଲାନାହିଁ ଏଆଇସିସି । ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜାତୀୟ କଂଗ୍ରେସକୁ ଇସ୍ତଫା ପତ୍ର ପଠାଇଥିଲେ ଓଡିଶା କଂଗ୍ରେସ ମୁଖିଆ ପ୍ରସାଦ ହରିଚନ୍ଦନ । ହେଲେ ଏଆଇସିସି ପ୍ରସାଦଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛି । କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷାଙ୍କ ସୂଚନା ଅନୁସାରେ ୨୦୧୯ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱରେ ରହିବେ ପ୍ରସାଦ ହରିଚନ୍ଦନ । ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ବଦଳାଇବା ମୁଡରେ ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗକୁ ନିର୍ବାଚନ ଥିବାରୁ ୭ରୁ ୮ ମାସ ମଧ୍ୟରେ ନୂଆ ସଭାପତି କାମ କରିପାରିବେନି ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ।

ପୂର୍ବରୁ ପଂଚାୟତ ନିର୍ବାଚନରେ ବି ଦଳ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିବାପରେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଥିଲେ ପ୍ରସାଦ । ହେଲେ ସେତେବେଳେ ବି କଂଗ୍ରେସ ହାଇକମାଣ୍ଡ ଇସ୍ତଫାକୁ ଗ୍ରହଣ କରି ନଥିଲେ । ଗୋଟିଏ ପଟେ ରାଜ୍ୟ କଂଗ୍ରେସର ସ୍ଥିତି ଭୁଷୁଡି ପଡୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ବି ପିସିସି ସଭାପତିଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରୁଛନ୍ତି । ଏମିତିକି ବିରୋଧିଦଳ ମୁଖ୍ୟ ସଚେତକ କିଛି ଦିନ ତଳେ କହିଥିଲେ ଯଦି ପିସିସି ସଭାପତି ନ ବଦଳନ୍ତି ତେବେ ବିଧାୟକ ମାନେ ଦଳ ଛାଡିବେ । ଏଭଳି ସ୍ଥିତିରେ ଏଆଇସିସି ଓଡିଶା ପିସିସି ସଭାପତିଙ୍କ ଇସ୍ତଫା ଗ୍ରହଣ ନ କରିବା ହୁଏତ ପ୍ରସାଦଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି କିନ୍ତୁ ଦଳଭିତରେ ଅସନ୍ତୋଷର ହାୱା ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ସେପଟେ ନା ସମାଲୋଚନା ନେଇ ମୁହଁ ଖୋଲୁଛନ୍ତି ପ୍ରସାଦ ନା ଇସ୍ତଫା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉଛନ୍ତି ।