କଂଗ୍ରେସ ଦଳରେ ‘ବ୍ରହ୍ମ’ ପରିବର୍ତନ ! ନିରଞ୍ଜନ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ, ୨୦୧୯ ପାଇଁ ୨୦୦୯ ଫର୍ମୁଲା ଉପରେ ଭରସା କଲେ ରାହୁଲ ଗାନ୍ଧୀ

83

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସକୁ ନେଇ ଚାଲିଥିବା ସବୁଠାରୁ ବଡ ଚର୍ଚ୍ଚାର ଅବସାନ ଘଟିଛି । ଏବଂ କଂଗ୍ରେସର ବ୍ରହ୍ମ ପରିବର୍ତନ ହୋଇଛି । ବଦଳିଛନ୍ତି ପ୍ରସାଦ ହରିଚନ୍ଦନ ଏବଂ ତାଙ୍କ ସ୍ଥାନ ନେଇଛନ୍ତି ନିରଂଜନ ପଟ୍ଟନାୟକ । ମୁଣ୍ଡ ଉପରେ ୨୦୧୯ ସାଧାରଣ ନିର୍ବାଚନ ଥିବା ବେଳେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୀର୍ଘ ଦିନର ଚର୍ଚା-ଆଲୋଚନା ପରେ ପୁରା ଦଳର ନବକଳେବର କରିଛନ୍ତି । ତିନି ଜଣ ନେତା ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳ ଓ ନବ ଦାସଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ଏବଂ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ମୋଟାମୋଟି କହିବାକୁ ଗଲେ ସମସ୍ତଙ୍କୁ ସନ୍ତୁଷ୍ଟ କରି ୨୦୧୯ ନିର୍ବାଚନ ଲଢିବାକୁ ଦଳ କ୍ଷେତ୍ର ପ୍ରସ୍ତୁତ କରିଛି ।ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ପୁଣି ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଦୀର୍ଘଦିନ ଧରି ଦଳୀୟ କନ୍ଦଳ ଓ ଛକାପଂଝା ପରେ ରାଜ୍ୟ କଂଗ୍ରେସର ମୁଖିଆ ପଦରୁ ବିଦା ହୋଇଛନ୍ତି ପ୍ରସାଦ ହରିଚନ୍ଦନ । ପ୍ରାୟ ୫ ବର୍ଷ ପରେ ପୁଣି ଥରେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ । ନିରଂଜନଙ୍କ ନେତୃତ୍ୱରେ ଦଳ ଲଢିବ ୨୦୧୯ ନିର୍ବାଚନ । ସାଂଗଠନିକ ଦକ୍ଷତା ଓ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀଙ୍କ ସମର୍ଥନ ତାଙ୍କ ସପକ୍ଷରେ ରହିଥିବାରୁ ନିରଂଜନଙ୍କ ଉପରେ ଆସ୍ଥା ରଖିଛନ୍ତି କଂଗ୍ରେସ ହାଇକମାଣ୍ଡ । ନିରଂଜନଙ୍କ ସାମ୍ନାରେ ଏବେ କିନ୍ତୁ ଅନେକ ଆହ୍ୱାନ । ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଥିବା ବେଳେ ପଂଚାୟତ ଓ ବିଜେପୁର ଉପ-ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଯାଇଛି କଂଗ୍ରେସ । ଏହାରି ଭିତରେ ସଂଗଠନକୁ ସଜାଡିବା ଓ ଦଳୀୟ କର୍ମୀଙ୍କ ଭିତରେ ପୁରୁଣା ଜୋଶ ଭରିବାକୁ ରଣନୀତି ତିଆରି କରିବେ ଏହି ଅଭିଜ୍ଞ ରାଜନେତା ।

ନିରଂଜନଙ୍କୁ ସହଯୋଗ କରିବେ ତିନି କାର୍ଯ୍ୟକାରୀ ସଭାପତି । ଝାରସୁଗୁଡା ବିଧାୟକ ନବ ଦାସ, ବିରୋଧୀଦଳ ଉପନେତା ଚିରଂଜୀବ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଛି କାର୍ଯ୍ୟକାରୀ ସଭାପତି ପଦ । ୨୦୦୯ରେ ଏହି ଫର୍ମୁଲା କଂଗ୍ରେସ ଆପଣାଇଥିବା ବେଳେ ପାଖାପାଖି ୧୦ ବର୍ଷ ପରେ ସମାନ ରଣନୀତି ଉପରେ ଭରସା କରିଛନ୍ତି ରାହୁଲ ଗାନ୍ଧୀ । ସୂଚନା ଅନୁସାରେ, ଦକ୍ଷିଣ ଓଡିଶାରେ ସଂଗଠନ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ମାଝୀ । ଉପକୂଳ ଓଡିଶା ଦାୟିତ୍ୱରେ ରହିବେ ଚିରଂଜୀବ ବିଶ୍ୱାଳ, ଆଉ ପଶ୍ଚିମ ଓଡିଶା ସମ୍ଭାଳିବେ ନବ ଦାସ । ଏହି ତିନି ନେତାଙ୍କ ସହ ମିଶି ୨୦୧୯ ପାଇଁ ବ୍ଲୁ-ପ୍ରିଂଟ ତିଆରି କରିବେ ନିରଂଜନ ପଟ୍ଟନାୟକ ।

ସେହିପରି ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ଅନ୍ୟତମ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ । ବଡ କଥା ହେଉଛି, ରାଜ୍ୟ କଂଗ୍ରେସରେ ସବୁଠାରୁ ବଡ ସମସ୍ୟା ଅର୍ଥାତ୍ ସମନ୍ୱୟର ଅଭାବକୁ ଦୂର କରିବାକୁ ନୂଆ ଫର୍ମୁଲା ସାମ୍ନାକୁ ଅଣାଯାଇଛି । ସମନ୍ୱୟ କମିଟି ଅଧ୍ୟକ୍ଷ ହୋଇଛି କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ । ଆଉ ସମନ୍ୱୟ କମିଟିର ଆବାହକ ହୋଇଛନ୍ତି ଜଗନ୍ନାଥ ପଟ୍ଟନାୟକ । କଂଗ୍ରେସ ବିଭିନ୍ନ ଗୋଷ୍ଠୀଙ୍କୁ ଏକାଠି କରି ଦଳକୁ ସଜାଡିବାକୁ ଭରପୂର ଉଦ୍ୟମ କରିଛନ୍ତି ହାଇକମାଣ୍ଡ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ କୋର କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ହୋଇଛନ୍ତି ଏହି କମିଟିର ଅବାହକ ।

ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ବିଭିନ୍ନ ନିର୍ବାଚନରେ ଦଳ ଫେଲ ମାରିଥିବାରୁ ତାଙ୍କୁ ପିସିସିରୁ ଦୂରେଇ ଦିଆଯାଇଛି । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ପିସିସିର ଆମୂଳଚୂଳ ପରିବର୍ତନ ହୋଇଛି । ସମସ୍ତ ବରିଷ୍ଠ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ହାଇକମାଣ୍ଡ । ଦଳକୁ ଶୃଙ୍ଖଳିତ କରିବା ପାଇଁ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ପରିବର୍ତନ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ମିଳିଛି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦାୟିତ୍ୱ । ସେହିପରି ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆଉ ଏହି କମିଟିର ଆବାହକ ଦାୟିତ୍ୱରେ ରହିଛନ୍ତି ଶରତ ରାଉତ ।