ଦିଲ୍ଲୀରେ ପ୍ରସାଦ,୨୨ରେ ଭେଟିବେ ରାହୁଲଙ୍କୁ ! ଓବିସି ସେଲ୍ ନେଇ ହେବ ଚର୍ଚ୍ଚା

26

ରାହୁଲଙ୍କୁ ଭେଟିବେ ପ୍ରସାଦ । ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ଅର୍ଥାତ୍ ଶନିବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଭେଟିବାକୁ ସମୟ ଦେଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରସାଦଙ୍କ ସହ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ରାହୁଲଙ୍କୁ ସାକ୍ଷାତ କରି ଆଲୋଚନା କରିବେ । ଏହା କଂଗ୍ରେସ ଓବିସି ସେଲର ବୈଠକ ବୋଲି କୁହାଯାଉଥିଲେ ମଧ୍ୟ ଏଥିରେ ପିସିସି ପରିବର୍ତ୍ତନ ମୁଖ୍ୟ ଆଲୋଚନାର ବିଷୟ ହେବ ବୋଲି ଜଣାପଡିଛି । ବିଧାୟକ ଦଳ ନିରଂଜନ ପଟ୍ଟନାୟକଙ୍କୁ ସଭାପତି କରିବାକୁ ଅଡି ବସିଥିବା ବେଳେ ଏହି ନେତା ମାନେ ରାହୁଲଙ୍କୁ ଭେଟିବା ପୁଣି କଂଗ୍ରେସ ଶିବିରରେ ଆଲୋଡନ ସୃଷ୍ଟି କରିଛି । ଗତ ୧୩ ତାରିଖରେ କିଛି ରାଜ୍ୟର ଓବିସି ସେଲ୍ ନେଇ ଆଲୋଚନା କରିଥିଲେ ରାହୁଲ । ସୂଚନା ଅନୁସାରେ, ଦୀର୍ଘ ବର୍ଷ ଧରି ଅକାମୀ ହୋଇ ପଡିଥିବା ଏହି ସେଲକୁ କାର୍ଯ୍ୟକ୍ଷମ କରିବାକୁ ନେତା ଅଂଟା ଭିଡିଛନ୍ତି । ତେବେ ଓବିସି ସେଲ୍ ଚର୍ଚ୍ଚାକୁ ଆୟୁଧ କରି ପିସିସି ପ୍ରସଙ୍ଗ ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପିସିସି ପରିବର୍ତ୍ତନ ନେଇ କିଛି ଦିନ ହେବ ବିଧାୟକ ଦଳ ଓ ପ୍ରସାଦ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ୪୦ରୁ ଉର୍ଦ୍ଧ୍ୱ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକି ଆଲେଚନା କରିଛନ୍ତି । କିନ୍ତୁ ଏହି ଆଲୋଚନାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ହାଇକମାଣ୍ଡଙ୍କ ପକ୍ଷରୁ କୈାଣସି ନିଷ୍ପତି ଆସିପାରିନାହିଁ । କୁହାଯାଉଛି ଏବେ ଓଡିଶା ପିସିସି ପରିବର୍ତ୍ତନର ଦାୟିତ୍ୱ ନେଇଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅହମ୍ମଦ ପଟେଲ, ଗୁଲାମନବୀ ଆଜାଦ୍ ଓ ମୁକୁଲ ୱାସନିକ ଓ ଜୟରାମ ରମେଶଙ୍କ ପରି ବରିଷ୍ଠ କଂଗ୍ରେସ ନେତା ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କ ସହ ଟେଲିଫୋନ ମାଧ୍ୟମରେ କଥା ହୋଇ ସୋନିଆଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଆଧାରରେ ଘୋଷଣା ହେବ କିଏ ନେବ ରାଜ୍ୟ କଂଗ୍ରେସର ଦାୟିତ୍ୱ ।

ବିଧାୟକ ଦଳର କହିବା ଅନୁସାରେ ନିରଂଜନଙ୍କୁ ସମର୍ଥନ କରୁଛନ୍ତି ରାଜ୍ୟ କଂଗ୍ରେସର ଅଧିକାଂଶ ନେତା ଓ କର୍ମୀ । ଦଳର ଏପରି ସମୟରେ କେବଳ ନିରଂଜନ ହିଁ ସ୍ଥିତିରେ ସୁଧାର ଆଣିବାରେ ସକ୍ଷମ ହେବେ । ତେଣୁ ଅଧ୍ୟକ୍ଷାଙ୍କ ଉପରେ ଭରଷା କରି ସେମାନେ ଅପେକ୍ଷା କରିଛନ୍ତି । ତେବେ ଆଗାମୀ ଦିନରେ ଦରକାର ପଡିଲେ ନିଜ ଦାବୀ ଉପସ୍ଥାପନ ପାଇଁ ସେମାନେ ପୁଣି ହାଇକମାଣ୍ଡଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ସୂଚନା ମିଳିଛି ।