ଦୋଷ ମୁଣ୍ଡାଇଲେ ମୁଖିଆ ! କହିଲେ, ନୈରାଶ୍ୟଜନକ ଫଳାଫଳ ପାଇଁ ମୁଁ ଦାୟୀ

24

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ କଂଗ୍ରେସର ନୈରାଶଜନକ ଫଳାଫଳ ପାଇଁ ନିଜକୁ ଦାୟୀ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ନିର୍ବାଚନରେ ବିଜେଡି-ବିଜେପି କଳାଟଙ୍କା ଖଟାଇଥିବା ଅଭିଯୋଗ କରିଛନ୍ତି ପ୍ରସାଦ । ବିଜେପି କେନ୍ଦ୍ର ସରକାରଙ୍କ ସରକାରୀ କଳ ଏବଂ ପଡୋଶୀ ରାଜ୍ୟର ସରକାରୀ କଳର ଅପବ୍ୟବହାର କରିଛି । ସେହିପରି ବିଜେଡି ରାଜ୍ୟର ସରକାରୀ କଳକୁ ପଂଚାୟତ ନିର୍ବାଚନରେ ଲଗାଇଥିବା ସେ ଅଭିଯୋଗ କରିଛନ୍ତି ।

ବିଜେପି ସରକାର ନୋଟବନ୍ଦୀ କରିଥିବା ବେଳେ ବିଜେଡି ସରକାର ତାକୁ ସମର୍ଥନ କରିଛନ୍ତି । ହେଲେ ଉଭୟ ଦଳ ପଂଚାୟତ ନିର୍ବାଚନରେ ବିପୁଳ ପରିମାଣରେ କଳା ଟଙ୍କା ବିନିଯୋଗ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରସାଦ । ଝାରସୁଗୁଡାରେ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସକୁ ସ୍ପଷ୍ଟ ମତ ମିଳିଥିବାରୁ ବିଜୟୀ ପ୍ରାର୍ଥିଙ୍କୁ ଅଭନନ୍ଦନ ଜଣାଇଛନ୍ତି ପ୍ରସାଦ । ତେବେ ଚୂଡାନ୍ତ ଫଳାଫଳ ଆସିବା ପରେ ଏନେଇ ହାଇକମାଣ୍ଡକୁ ରିପୋର୍ଟ ଦିଆଯିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ।