ବିଜେପୁର ପାଇଁ ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ । ବହୁ କସରତ ପରେ ପ୍ରାର୍ଥୀ ଘୋଷଣା । କିଏ ସହିବ କ୍ଷତି, କିଏ ପାଇବ ଫାଇଦା?

111

ଶେଷରେ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗାଏସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଦଳ ମୈଦାନକୁ ଆଣିଛି । ପ୍ରଥମରୁ ପ୍ରଣୟ ସାହୁଙ୍କୁ ନେଇ ଏକପ୍ରକାର ନିଷ୍ପତ୍ତି ହୋଇଥିବା ବେଳ ଶେଷ ମୁହୁର୍ତ୍ତରେ ରିପୁନାଥ ସେଠଙ୍କ ନାଁ ଆଣି କଳି ମଂଜି ପୋତାଯାଇଥିଲା । ତେବେ ସଂଗଠନ ଆଉ ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରଭାବକୁ ଆଖି ଆଗରେ ରଖୀ ହାଇକମାଣ୍ଡ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି । ବିଜେଡିର ରୀତା ସାହୁ, ବିଜେପୁର ଅଶୋକ ପାଣିଗ୍ରାହୀ ଓ କଂଗ୍ରେସର ପ୍ରଣୟ ସାହୁଙ୍କ ମଧ୍ୟରେ ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବ ବିଜେପୁର । ଯଦିଓ ମୈଦାନରେ କିଛି ଦଳ ପ୍ରାର୍ଥୀ ଦେଇଛନ୍ତି ଓ କିଛି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି, ତେବେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି ଅନୁମାନ କରାଯାଉଛି ।

bijepur election
ତେବେ ବଡ କଥା ହେଉଛି, ବିଜେପୁରରରେ କଂଗ୍ରେସ କାହାକୁ ପ୍ରାର୍ଥୀ ଦେବ ତାକୁ ନେଇ ବଡ ଧରଣର ଛକାପଂଝା ଥିଲା । ଏପରିକି ନେତାଙ୍କ ଭିତରେ ଚାଲିଥିଲା ବୟାନବାଜି । କୁହାଯାଉଥିଲା, ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଇଶାରାରେ କୁଆଡେ ପ୍ରାର୍ଥୀ କାହାକୁ ଚୟନ କରାଯିବ, ସେନଇ କସରତ ବି ହୋଇଥିଲା । ଦଳର ବରିଷ୍ଠ ନେତା ବାହ୍ୟ ଶକ୍ତିର ପ୍ରଭାବକୁ ସଂପୁର୍ଣ୍ଣ ଅସ୍ୱୀକାର ମଧ୍ୟ କରିନଥିଲେ । ପ୍ରଥମ ବିଜେପୁର ଉପ-ନିର୍ବାଚନ ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ କମିଟି ଗଠନ କରିଥିଲେ । କମିଟିର ମୁଖ୍ୟ ଥିଲେ ବିଧାୟକ ନବ ଦାସ । କମିଟି ବିଜେପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରାର୍ଥୀ ଚୟନ କରି ପିସିସିକୁ ରିପୋର୍ଟ ଦେଇଥିଲେ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଦିଲ୍ଲୀ ଯାଇଥିଲା ।


ମାତ୍ର ପରେ ଏଆଇସିସି ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଟି ଗଠନ କରିବା ପରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଥିଲା । ଏହି କମିଟି ଦୁଇ ଜଣଙ୍କର ନାଁ ସୁପାରିଶ କରିଥିବା ଚର୍ଚ୍ଚା ହେଲା । ପ୍ରଥମେ ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠ ଓ ଦ୍ୱିତୀୟରେ ପ୍ରଣୟ ସାହୁଙ୍କ ନାଁ ରଖୀ ଦିଲ୍ଲୀକୁ ଯାଇ ରିପୋର୍ଟ ଦେଇଥିଲେ ହେମାନନ୍ଦ । ମାତ୍ର ଏଥିରେ କେଁ ଦେଖାଦେଇଥିଲା । ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା କହିଲେ, ସେମାନଙ୍କ ବିନା ମତାମତରେ ରିପୋର୍ଟ ଦିଆଯାଇଛି । ଯାହା ସାଧାରଣରେ ବିବାଦ ସୃଷ୍ଟି କରିଥିଲା ।


ବଡ କଥା ହେଉଛି, ଗୋଟିଏ ଉପ-ନିର୍ବାଚନ ପାଇଁ କଂଗ୍ରେସକୁ ପ୍ରାର୍ଥୀ ବାଛିବାକୁ ଏତେ କସରତ୍ କରିବାକୁ ପଡୁଛି ଯେଉଁଠି ଦଳ ଭିତରେ ଥିବା ମନୋମାଳିନ୍ୟ ସ୍ପଷ୍ଟ ଭାବେ ସାମ୍ନାକୁ ଆସୁଛି । ଆଉ ଏଭଳି ସ୍ଥଳେ ଦଳ ନିର୍ବାଚନ ଲଢିବ କେମିତି, ଶୀର୍ଷ ସ୍ତରର ନେତା ମାନେ କଣ ଏକାଠି ହୋଇ ନିର୍ବାଚନ ପ୍ରଚାର କରିବେ ନା ବିଭାଜିତ ମନ ନେଇ ମୈଦାନକୁ ଓହ୍ଲାଇବେ ତାହା ଏବେ ଚର୍ଚ୍ଚାର ବିଷୟ । ପ୍ରଣୟ ସାହୁଙ୍କର ଗାଏସିଲଟ ବ୍ଲକରେ ଭଲ ସଂଗଠନ ରହିଛି । ତେଣୁ ପ୍ରଣୟ ସାହୁ ପ୍ରାର୍ଥୀ ହେବା ବିଜେପି ପାଇଁ ଚିନ୍ତାଜନକ ବିଷୟ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । ପଂଚାୟତ ନିର୍ବାଚନର ବିଜେପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭୋଟ୍ ବିଜେପି ପାଖକୁ ଯାଇଥିବା ଦେଖାଯାଇଥିଲା । ଆଉ ଏଭଳି ସ୍ଥଳେ ଯଦି କଂଗ୍ରେସ ଭୋଟ ପ୍ରଣୟ ସାହୁ ନିଜ ପାଖେ ରଖିବାକୁ ସମର୍ଥ ହୁଅନ୍ତି ତେବେ ବିଜେପି ପାଇଁ ଏକ ଆହ୍ୱାନର ସ୍ଥିତି ତିଆରି ହେବାର ଅନୁମାନ କରାଯାଉଛି ।

ପ୍ରଣୟ ସାହୁଙ୍କ ସାମ୍ନାରେ ଏବେ ଚାଲେଂଜ ଅଧିକ । ଗୋଟିଏ ପଟେ ଦଳ ଭିତରେ ଚାଲିଥିବା ବିବାଦ ତାଙ୍କୁ ଅଡୁଆ ଭିତରେ ପକାଇପାରେ ଆଉ ଅନ୍ୟପଟେ ୨୦୧୯ ନିର୍ବାଚନ ଆଗରୁ ନିଜର ତଥାଦଳର ପଲ୍ଲାକୁ ମଜଭୁତ କରିବାକୁ ଏହା ଏକ ସୁଯୋଗ । ତିନି ଥର ବିଜେପୁର ଆସନ କଂଗ୍ରେସ ହାତରେ ରହିଥିଲା । ସ୍ୱର୍ଗତ ସୁବଳ ସାହୁ ୨୦୦୪, ୨୦୦୯, ୨୦୧୪ରେ କଂଗ୍ରେସ ଟିକେଟରୁ ଏହି ଆସନରେ ଜିତିଥିଲେ । କଂଗ୍ରେସ ପାଇଁ ଏହି ଆସନ ବଂଚାଇ ରଖିବା ହେବ ତାଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ । ନାମାଙ୍କନ ଭରି ବିଜେପି ପ୍ରାର୍ଥୀ ପ୍ରଚାର ପାଇଁ ସଜବାଜ ହେଉଥିବା ବେଳ ବିଜେଡି ପ୍ରାର୍ଥୀ ସୋମବାର ନାମାଙ୍କନ ଭରି ପ୍ରଚାର ପାଇଁ ରଣନୀତି କଲେଣି । ତେଣୂ ୬ ତାରିଖରେ ନାମାଙ୍କନ ଭରି ତୁରନ୍ତ ପ୍ରଚାର ମୈଦାନକୁ ଆସିବା ତାଙ୍କ ପାଇଁ ଆଉ ଏକ ଚାଲେଂଜ ହେବ ।

congress

ହେଲେ ଏହାରି ଭିତରେ କିନ୍ତୁ କଂଗ୍ରେସ ନିର୍ବାଚନକୁ କେତେ ଗୁରୁତ୍ୱର ସହ ଗ୍ରହଣ କରି ରଣନୀତି ତିଆରି କରୁଛି, ତାକୁ ଦେଖିବାକୁ ବାକି ରହିଲା । କାରଣ କଂଗ୍ରେସର ନିର୍ବାଚନୀ ଚାଲ୍ ଅନ୍ୟ ଦୁଇ ରାଜନୈତିକ ଦଳଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବ । ସେହିଭଳି ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠ୍ ଟିକେଟ ପାଇବାରୁ ବଂଚିତ ହେବା ପରେ ସେ ବିଦ୍ରୋହୀ ଭୁମିକାରେ ଆସିବେ ନା କଂଗ୍ରେସ ସହ ରହି କାମ କରିବେ, ତାଉପରେ ମଧ୍ୟ ବହୁତ କିଛି ନିର୍ଭର କରିବ । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ଗରମ ହେଉଛି ।