ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ବେଳେ ଖୁସି ନଥିଲେ ପ୍ରଣବ ମୁଖାର୍ଜି

32

କନକ ବ୍ୟୁରୋ: ୨୦୦୪ ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ବେଳେ ଖୁସି ନଥିଲେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜି । ଏକଥାକୁ ନିଜେ ସ୍ୱିକାର କରିଛନ୍ତି ମନମୋହନ ସିଂ । ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା କହିଛନ୍ତି ମନମୋହନ । କହିଛନ୍ତି, ଅଭିଜ୍ଞତା, ବରିଷ୍ଠତା ଏବଂ ଅନୁଭୂତି ଆଧାରରେ ପ୍ରଣବ ସବୁ ଦୃଷ୍ଟିରୁ ତାଙ୍କ ଠାରୁ ଉପରେ ଥିଲେ । କିନ୍ତୁ ସୋନିଆ ଗାନ୍ଧୀ ମନମୋହନଙ୍କ ନାଁ ଘୋଷଣା କରିବାରେ ତାଙ୍କର କିଛି ଭୂମିକା ନଥିଲା ।

କାର୍ଯକ୍ରମରେ ଉପସ୍ଥିତ ଥିବା ସୋନିଆ ଓ ରାହୁଲ ଗାନ୍ଧୀ, ମନମୋହନଙ୍କ ସ୍ୱିକାରୋକ୍ତିକୁ ନେଇ ଖୁବ ହସିଥିଲେ । ମେଂଟ ସରକାର ଚଳାଇବା ଖୁବ କଷ୍ଟକର ଓ ମେଂଟରେ ପ୍ରଣବ ମୁଖାର୍ଜି ଜଣେ ସଙ୍କଟମୋଚକର ଦାୟିତ୍ୱ ତୁଲାଉଥିଲେ ବୋଲି କହିଛନ୍ତି ମନମୋହନ । ଏପଟେ ତାଙ୍କ ପୁସ୍ତକରେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନାହାନ୍ତି ମେଂଟ ସରକାରର ବିଭିନ୍ନ ତଥ୍ୟବାଳୀକୁ ପୁସ୍ତକରେ ସ୍ଥାନ ଦେଇଛନ୍ତି ବୋଲି କହିଛନ୍ତି ପ୍ରଣବ ।

ମନମୋହନ ପ୍ରଣବଙ୍କ ସହିତ ତାଙ୍କ ସଂପର୍କକୁ ସ୍ମରଣ କରି କହିଥିଲେ ଯେ, ପ୍ରଣବ ହେଉଛନ୍ତି ଦେଶର ଜଣେ ମହାନ ରାଜନେତା । ଉଭୟ ଦଳ ଏବଂ ୟୁପିଏ ସରକାରଙ୍କ ସଙ୍କଟମୋଚକ ଭାବେ ସେ ନିଜକୁ ପ୍ରମାଣିତ କରିଥିଲେ। କୌଣସି ସମସ୍ୟାରେ ଆମେ ଛନ୍ଦି ହୋଇଗଲେ ପ୍ରଣବଙ୍କ ବିଜ୍ଞତା ଓ ଅଭିଜ୍ଞତା ଆମକୁ ସେଥିରୁ ଉଦ୍ଧାର କରୁଥିଲା ବୋଲି ମନମୋହନ କହିଥିଲେ ।

ଏହି ଅବସରରେ ପ୍ରଣବ କହିଥିଲେ ଯେ ତାଙ୍କର ଏହି ପୁସ୍ତକରେ ସେ ଦେଶର ରାଜନୀତିରେ ମେଣ୍ଟ ସରକାରର କାର୍ଯ୍ୟକାଳ ସଂପର୍କରେ ଉଲ୍ଲେଖ କରିଛନ୍ତି । ଏଥିରେ ସେ କୌଣସି ବ୍ୟକ୍ତିଗତ କଥା ସାମ୍ନାକୁ ଆଣିନାହାନ୍ତି । ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟ ଥିଲେ ମଧ୍ୟ ସବୁକିଛି ସୁରୁଖୁରୁରେ ଚାଲିଥିଲା ବୋଲି ସେ କହିଛନ୍ତି । ଦେଶର ରାଜନୈତିକ ଇତିହାସରେ ମେଣ୍ଟ ସରକାରର କାର୍ୟ୍ୟକାଳ ବହୁତ ଘଟଣାବହୁଳ ଥିଲା ବୋଲି ସେ କହିଛନ୍ତି ।