ଟାର୍ଗେଟରେ ଥିଲେ କି ମନ୍ତ୍ରୀ ! ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବର୍ତିଲେ ପ୍ରଣବ ପ୍ରକାଶ ଦାସ

36

କନକ ବ୍ୟୁରୋ : କୋରାପୁଟ ସୁଙ୍କି ଘାଟିରେ ମାଓ ବାଦୀଙ୍କ ଲାଣ୍ଡ ମାଇନ ବିସ୍ଫୋରଣ ଘଟଣାର ଏକ ନୂଆ ଦିଗ ସାମ୍ନାକୁ ଆସିଛି । ବିସ୍ଫୋରଣର ମାତ୍ର ୨୦ ମିନିଟ୍ ପୂର୍ବରୁ ସେହି ଘାଟି ଅତିକ୍ରମ କରିଥିଲା ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଗାଡି । ଯେଉଁ ବିସ୍ଫୋରଣରେ ୮ ଜଣ ଜବାନଙ୍କ ଜୀବନ ଚାଲିଗଲା ।

ସମୟ ପ୍ରାୟ ୫ଟାରେ ସୁଙ୍କି ଘାଟି ଦେଇ ଅତିକ୍ରମ କରିଥିଲା ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଗାଡି । ସୁଙ୍କି ଘାଟି ଉପରେ ମାଓବାଦୀ ବିଛାଇଥିବା ମୃତ୍ୟୁର ଫାସକୁ ପାର୍ କରି ମନ୍ତ୍ରୀଙ୍କ ଗାଡି ଛୁଟି ଥିଲା ଆଗକୁ । ଏମାନେ ଜାଣି ନଥିଲେ ଯେଉଁ କଲଭର୍ଟ ଦେଇ ଏମାନେ ଗତି କରୁଛନ୍ତି ତା ତଳେ ବିଛା ହୋଇଥିଲା ମୃତ୍ୟୁର ଫାସ । ହେଲେ ମନ୍ତ୍ରୀଙ୍କ ଗାଡି ଏହି କଲଭର୍ଟ ପାର୍ ହୋଇ ଯାଇଥିଲା ।

ନକ୍ସଲି ରାସ୍ତା ପାର୍ ହୋଇଯିବା ପରେ ଏସକର୍ଟ ଗାଡିରୁ ଗୋଟିଏ ଫେରି ଆସିଥିଲା କୋରାପୁଟ ଅଭିମୁଖେ । ମାତ୍ର ୨୦ମିନିଟର କଥା । ମନ୍ତ୍ରୀ ଆନ୍ଧ୍ର ରାସ୍ତାକୁ ଧରିବା ବେଳକୁ ଏପଟେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ପୋରଣ । ଉଡିଗଲା ଓଡିଶା ପୁଲିସର ଗାଡି । ଯେଉଁଥିରେ ୮ଜଣଙ୍କ ପ୍ରାଣ ଗଲା ।

ପଂଚାୟତ ନିର୍ବାଚନରେ କୋରାପୁଟର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ । କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ, ଚାରିଦିନ ତଳେ କୋରାପୁଟରେ ପହଂଚିଥିଲେ ପ୍ରଣବ । ଆଉ ଗତକାଲି କୋଟପାଡ୍ ଓ ପୋଲାବନଗର ଅଂଚଳରେ ଆୟୋଜିତ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମଧ୍ୟାହ୍ନରେ ସର୍କିଟ୍ ହାଉସରେ ଲଂଚ୍ କରିବା ପରେ ଅପରାହ୍ନ ପ୍ରାୟ ୩ଟା ବେଳକୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି । ତେଣୁ ସରକାରୀ ଗାଡି ପରିବର୍ତ୍ତେ ନିଜ ବ୍ୟକ୍ତଗତ ଗାଡି ଯୋଗେ ବାହାରିଥିଲେ ପ୍ରଣବ ।

ଏବେ ପ୍ରଶ୍ନ ଉଠୁଛି କାହାକୁ ଟାର୍ଗେଟ କରିଥିଲେ ନକ୍ସଲ । ମନ୍ତ୍ରୀ ଥିଲେ କି ନକ୍ସଲଙ୍କ ଟାର୍ଗେଟରେ । ପଣସପୁଟ ଏନକାଉଂଟର୍ ପରେ ନକ୍ସଲ ଏବେ ରକ୍ତମୁଖା । ତେଣୁ କେବଳ ସୁରକ୍ଷାବାହିନୀ ନୁହେଁ ସାଧାରଣ ଜନତା ଓ ନେତାଙ୍କୁ ଟାର୍ଗେଟ କରିବା କିଛି ଅସମ୍ଭବ ନୁହେଁ ।