ରାଇସିନାରେ ଶେଷ ହେଲା ପ୍ରଣବଙ୍କ ଯୁଗ ! ଆଜି ରାଷ୍ଟ୍ରପତି ପଦରୁ ନେବେ ଅବସର

41

କନକ ବ୍ୟୁରୋ : ରାଇସିନାରେ ଶେଷ ହେଲା ପ୍ରଣବଙ୍କ ଯୁଗ । ଆଜି ରାଷ୍ଟ୍ରପତି ପଦବୀରୁ ଅବସର ନେବେ ପ୍ରଣବ ମୁଖାର୍ଜି । ଏହାପରେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ୨୫ ତାରିଖ ପୂର୍ବାହ୍ନରେ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ଗତ ସନ୍ଧ୍ୟାରେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ତାଙ୍କ ବିଦାୟୀ ଭାଷଣ ଦେବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ।

ସଂସଦରେ ତାଙ୍କର ପ୍ରଥମ ଦିନକୁ ମନେ ପକାଇଥିଲେ । ୩୪ ବର୍ଷ ବୟସରେ ପ୍ରଥମ ଥର ପାଇଁ ସାଂସଦ ଭାବେ ୨୨ ଜୁଲାଇ ୧୯୬୯ରେ ସେ ରାଜ୍ୟସଭାକୁ ଆସିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟକାଳ ସଂପର୍କରେ ସ୍ମୃତିଚାରଣ କରିବା ସହ ସଂସଦ ହିଁ ତାଙ୍କ ରାଜନୈତିକ ଜୀବନର ଶ୍ରେଷ୍ଠ ମାର୍ଗଦର୍ଶକ ଥିଲା ବୋଲି କହିଥିଲେ । ଏ ଅବସରରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ, ବିଜେପିର ବରିଷ୍ଠ ସାଂସଦ ଲାଲକୃଷ୍ଣ ଆଡଭାନୀ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂପର୍କରେ କହିଥିଲେ।

ରାଷ୍ଟ୍ରପତି ଭାବେ ସେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ନିଷ୍ଠାର ସହ ପାଳନ କରିଛନ୍ତି ବୋଲି କହିଥିଲେ । ବିଶେଷ କରି ତାଙ୍କ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାର୍ଯ୍ୟକାରୀ କରିବା ପାଇଁ ସଂସଦରେ ସବୁ ଦଳ ଯେଭଳି ଏକତ୍ରୀତ ହୋଇ ନିଷ୍ପତ୍ତି ନେଇଥିଲେ ତାହା ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଉପସ୍ଥିତ ଥିଲେ । ବାଚସ୍ପତି ସୁମିତ୍ରା ମହାଜନ ତାଙ୍କ ଉଦବୋଧନରେ ରାଷ୍ଟ୍ରପତିଙ୍କ ସଫଳ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ଉପରାଷ୍ଟ୍ରପତି ଅନସାରୀ କହିଥିଲେ ଯେ ସଂସଦରେ ବିତର୍କର ସ୍ତର ବଢ଼ାଇବା ଏବଂ ସଂସଦର ଗାରିମା ରକ୍ଷା କରିବାରେ ପ୍ରଣବଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।