ପୂର୍ବ ରାଷ୍ଟ୍ରପତିଙ୍କୁ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ ! ସମ୍ମାନର ତାଲିକାରେ ରହିଛନ୍ତି ଆଉ ୨ ଜଣ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ । 

332

ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ପ୍ରସିଦ୍ଧ ସଂଗୀତକର ଭୁପେନ୍ ହଜାରିକା ଏବଂ ସମାଜସେବୀ ତଥା ସଂଘ ସହ ଜଡିତ ହୋଇଥିବା ନାନାଜୀ ଦେଶମୁଖ୍ ଙ୍କୁ ସର୍ବୋଚ୍ଚ ନାଗରିକ ଭାବରେ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରାଯିବ । ରାଷ୍ଟ୍ରପତି ଭବନରୁ ଶୁକ୍ରବାର ସନ୍ଧ୍ୟା ଜାରୀ କରାଯାଇଥିବା ବୟାନରେ କୁହାଗଲା ଯେ ନାନାଜୀ ଦେଶମୁଖ୍ ଏବଂ ଭୁପେନ୍ ହଜାରିକାଙ୍କୁ ଏହି ସମ୍ମାନ ମରଣୋପରାନ୍ତ ପ୍ରଦାନ କରାଯିବ । ଏହା ପୂର୍ବରୁ ୪୫ ଜଣଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ଏହି ସଂଖ୍ୟା ୪୮ ରେ ଆସି ପହଁଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତିନି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ “ଭାରତ ରତ୍ନ” ମିଳିବା ନେଇ ଟ୍ୱିଟ୍ କରି ଭାରତବର୍ଷକୁ ସେମାନଙ୍କ ଯୋଗଦାନ ବିଷୟରେ ଆଲୋକପାତ କରାଇଥିଲେ । ନାନାଜୀଙ୍କ ଗ୍ରାମୀଣ କ୍ଷେତ୍ରରେ କରାଯାଇଥିବା ବିକାଶ , ଭାରତୀୟ ସଂଗୀତକୁ ସାରା ଦୁନିଆରେ ଲୋକପ୍ରିୟ କରାଇଥିବା ହଜାରିକାଙ୍କ ସଂଗୀତ ପ୍ରତି ଅବଦାନ, ଏବଂ ନିଜ ସମୟରେ ବିଚକ୍ଷଣ ତଥା ପ୍ରଭାବଶାଳୀ ରାଜନେତା ଥିବା ପ୍ରଣବ ମୁଖାର୍ଜୀଙ୍କ ସେ ଭୁରି ଭୁରି ପ୍ରଶଂସା କରିଥିଲେ ।

ଆପଣଙ୍କୁ କହିରଖୁଛୁ ୪ ବର୍ଷ ପରେ ଭାରତ ରତ୍ନ ସମ୍ମାନ ଘୋଷଣା ହୋଇଛି । ଏହା ପୂର୍ବରୁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେଇ ଏବଂ ବିଏଚୟୁର ସଂସ୍ଥାପକ ପ. ମଦନ ମୋହନ ମାଲବିୟ (ମରଣୋପରାନ୍ତ) ଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ।