ଆସନ୍ତାକାଲି ଆରଏସଏସର କର୍ମକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି : ସରସଂଘ ଚାଳକଙ୍କ ସହ ଆଜି ନାଗପୁରରେ ପହଁଚିବେ ଦାଦା

30

କନକ ବ୍ୟୁରୋ : ଆସନ୍ତାକାଲି ଆରଏସଏସ୍ ସଂଘ କର୍ମକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବେ ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ । ନାଗପୁରରେ ସ୍ୱୟଂସେବକ ସଂଘର ଶିକ୍ଷା ବର୍ଗ ଉଦଯାପନୀ ସମାରୋହରେ ଯୋଗ ଦେବେ ପ୍ରଣବ । ଏଥିପାଇଁ ଆଜି ସଂଘଚାଳକଙ୍କ ସହ ନାଗପୁରରେ ପହଁଚିବେ ପ୍ରଣବ । ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗ ଦେବାକୁ ଅନେକ କଂଗ୍ରେସ ନେତା ବିରୋଧ କରିବା ସହ ନିଷ୍ପତିରେ ପୁନଃର୍ବିଚାର କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ କଂଗ୍ରେସ ନେତାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ଆସନ୍ତାକାଲି ପ୍ରଣବ ଯୋଗ ଦେବେ ବୋଲି ସ୍ପଷ୍ଟ ହୋଇଛି ।

ଆନନ୍ଦ ବଜାର ପତ୍ରିକାକୁ ପ୍ରତିକ୍ରିୟା ଦେଇ ପ୍ରଣବ କହିଥିଲେ ଯାହା କହିବେ ନାଗପୁରରେ କହିବେ । ତେବେ ଏହି ପ୍ରସଙ୍ଗରେ ଚୁପ୍ ରହିଥିଲା ଆରଏସଏସ । କିନ୍ତୁ ଆଜି ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ଆରଏସଏସ୍ର ରାକେଶ ସିହ୍ନା । କହିଛନ୍ତି ନିଜସ୍ୱ ବିଚାରଧାରା ଥିବା ବ୍ୟକ୍ତିତ୍ୱ ଉପରେ ସଂଘ ବିଶ୍ୱାସ କରେ । ତେଣୁ ପ୍ରଣବଙ୍କ ଉପରେ ସଂଘ ବିଶ୍ୱାସ କରି ନିମନ୍ତ୍ରଣ କରିଛି । ଏହା ସହିତ ଦାଦାଙ୍କୁ ସଂଘ ପକ୍ଷରୁ ସ୍ୱାଗତ କରାଯାଉଛି ବୋଲି ସେ କହିଛନ୍ତି । ତେବେ ପ୍ରଣବ କଣ କହୁଛନ୍ତି ତାହା ଉପରେ ସାରାଦେଶର ନଜର ରହିଛି । ଏହା ଆଗାମୀ ଦିନ ପାଇଁ ଏକ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟିକରିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।