୨୦୧୯ରେ ବିଜେପି ପାଇଁ ଲଢ଼ିପାରନ୍ତି ପ୍ରଣବ ! ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗଦାନକୁ ନେଇ ସରଗରମ କେନ୍ଦ୍ର ରାଜନୀତି ।

31

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଗତ କିଛି ଦିନ ତଳେ ଆର.ଏସ.ଏସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳମାନେ ପ୍ରଣବଙ୍କୁ ବିଜେପି ସହିତ ଟାର୍ଗେଟ କରିବାକୁ ଲାଗିଛନ୍ତି । ପ୍ରଣବଙ୍କୁ ଆର.ଏସ.ଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିଜେପିର ପୂର୍ବତନ ସାଥୀ ଦଳ ଶିବସେନା ବଖାଣିଛନ୍ତି ଏହା ପଛର କାରଣ । ଶିିବସେନା ପ୍ରଣବଙ୍କ ଯୋଗଦାନକୁ ୨୦୧୯ ସାଧାରଣ ନିର୍ବାଚନ ସହିତ ଯୋଡି କହିଛି ଯେ, ଆର.ଏସ.ଏସ ନିଜର କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କୁ ଆମନ୍ତ୍ରଣ କରି ୨୦୧୯ ନିର୍ବାଚନୀ ପାଇଁ ଖସଡା ପ୍ରସ୍ତୁତ କରିଛି ବିଜେପି । କାରଣ ଯଦି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ନ ମିଳେ ତେବେ ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକରି କାର୍ଡ ଖେଳିବ ବିଜେପି ବୋଲି ଶିବସେନାର ସମ୍ବାଦ ପତ୍ରିକା ‘ସାମନା’ରେ ଉଲ୍ଲେଖ କରିଛି ଦଳ ।

କେବଳ ଏତିକି ନୁହେଁ ଆର.ଏସ.ଏସକୁ ଟାର୍ଗେଟ କରି ଶିବସେନା କହିଛି, ଶିବସେନାର ପୂର୍ବତନ ମୁଖ୍ୟ ନେତା ବାଲ୍ ଠାକରେଙ୍କୁ କେବେ ବି ଆମନ୍ତ୍ରିତ କରି ନାହିଁ ବରଂ ମୁସଲମାନ ଭାଇ ଭଣଣୀଙ୍କୁ ଖୁସି କରିବା ପାଇଁ ଉଦ୍ୟମ କରିଛି ସଂଘ । କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ସଂଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିବା ପଛରେ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ ହେଉଥିବା କହିଛି ଶିବସେନା । ଏପରିକି ୨୦୧୯ ନିର୍ବାଚନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରୁଛି ବିଜେପି ବୋଲି ନିଜର ସମ୍ବାଦ ପତ୍ରିକା ‘ସାମନା’ରେ ଉଲ୍ଲେଖ କରିଛି । ଏହାପଛର କାରଣ ହେଉଛି , ତ୍ରିଶଙ୍କୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଯଦି ବିଜେପିକୁ ସହଯୋଗୀ ନ ମିଳେ ତେବେ ପ୍ରଣବ ମୁଖାର୍ଜୀଙ୍କ ନାଁ ମନୋନୀତ କରିବ ବିଜେପି ବୋଲି ପୂର୍ବାନୁମାନ କରିଛି ଶିବସେନା ।

ଗତ କିଛି ଦିନ ତଳେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ଶିବସେନାକୁ ମନାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । କିନ୍ତୁ ଶାହାଙ୍କ ଗୋଟି ଚାଳନାର କିଛି ପ୍ରଭାବ ପଡି ନଥିଲା ବିଜେପିର ପୂର୍ବତନ ସାଥୀ ଦଳ ଶିବସେନା ଉପରେ । ଏପରିକି ଶାହାଙ୍କ ସାକ୍ଷାତକୁ ନାଟକ ବୋଲି କହି ସମାଲୋଚନା କରିଥିଲେ ଠାକରେ । ଗତକିଛି ଦିନ ତଳେ ପାଲଗଡ ଲୋକସଭା ଉପ-ନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀକୁ ଶିବସେନାର ପ୍ରାର୍ଥୀ କଡା ଟକ୍କର ଦେଇଥିଲେ । କିନ୍ତୁ ଶାହା ଆଉ ଠାକେରଙ୍କ ସାକ୍ଷାତ ପରେ ଶିବସେନା ତାର ଆଭିମୂଖ୍ୟ ସ୍ପଷ୍ଟ କରିଦେଇଛି । ତେବେ ପୂର୍ବତନ ରାଷ୍ଟ୍ରପତି ବା କଂଗ୍ରେସର ଜଣେ ପୁରୁଖା ନେତା ପ୍ରଣବ ମୁଖାର୍ଜୀଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଭବିଷ୍ୟବାଣୀ କରିଛି ଶିବସେନା । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।