ଫଳାଫଳ ପୂର୍ବରୁ ଗଣତନ୍ତ୍ରର ସୁରକ୍ଷା ନେଇ ପୂର୍ବତନ ରାଷ୍ଟ୍ରପତିଙ୍କ ବଡ ବୟାନ । କହିଲେ, ଜନତାଙ୍କ ଭରସା ନଭାଙ୍ଗନ୍ତୁ ନିର୍ବାଚନ ଆୟୋଗ ।

532

କନକ ବ୍ୟୁରୋ : ଶେଷ ହୋଇସାରିଛି ୧୯ ଯୁଦ୍ଧର ଲଢେଇ, ସାମ୍ନାକୁ ଆସିସାରିଛି ଏକଜିଟ୍ ପୋଲ୍ ରିପୋର୍ଟ । ନିର୍ବାଚନ ଫଳାଫଳ ବାହାରିବାକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ସମୟର କଣ୍ଟା ଯେତିକି ଆଗଉଛି, ନେତାଙ୍କ ହୃଦସ୍ପନ୍ଦନ୍ ସେତିକି ବଢିବାରେ ଲାଗିଛି । ଆଉ ଫଳାଫଳ ଆସିବା ଆଗରୁ ଇଭିଏମର ସୁରକ୍ଷା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଇଭିଏମକୁ ନେଇ ଆସୁଥିବା ଖବର ଉପରେ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।

ଇଭିଏମ୍ ସୁରକ୍ଷା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, ଇଭିଏମର ସୁରକ୍ଷା କରିବା ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ । ଏଥିପାଇଁ ଜନତାଙ୍କ ଭରସାକୁ ନିର୍ବାଚନ ଆୟୋଗ ନଭାଙ୍ଗିବା ଦରକାର । ଟ୍ୱିଟରରେ ଏକ ବୟାନ ଜାରି କରିଛନ୍ତି ପ୍ରଣବ ମୁଖାର୍ଜୀ ଲେଖିଛନ୍ତି, ଗଣତନ୍ତ୍ରରେ ଜନତାଙ୍କ ନିର୍ଣ୍ଣୟ ଉପରେ କୌଣସି ପ୍ରକାର ସଙ୍କଟ ନଆସିବା ଦରକାର । ଆଉ ଇଭିଏମର ସୁରକ୍ଷା ପ୍ରସଙ୍ଗରେ ଯେଉଁ ସବୁ ଅଭିଯୋଗ ଆସୁଛି, ତାହା ଉପରେ ମଧ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱରୋପ କରିବା ଆବଶ୍ୟକ ।

ସେପଟେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ବିରୋଧୀ । କିଛି ମାମଲା ଏପରି ରହିଛି ଯାହାକୁ ନେଇ ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଘେରିଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସିବାକୁ ଆଉ ମାତ୍ର ୪୮ ଘଣ୍ଟା ସମୟ ବାକି ରହିଥିବା ବେଳେ ଇଭିଏମକୁ ନେଇ ଜୋର ଧରିଛି ରାଜନୀତି ।