ଆରଏସଏସ ସଭାରେ ପ୍ରଣବ କହିଲେ, ବହୁବାଦ ଓ ସହିଷ୍ଣୁତା ଭାରତର ଆତ୍ମା ! ସଂଘ ପ୍ରତିଷ୍ଠାତା ହେଡଗେୱାରଙ୍କୁ କଲେ ପ୍ରଶଂସା

50

କନକ ବ୍ୟୁରୋ : ଦେଶଭକ୍ତିର କଥା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଗୁରୁବାର ନାଗପୁରରେ ଆରଏସଏସର ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେଶ ଏବଂ ଦେଶର ଐତିହ୍ୟ ଓ ପରମ୍ପରାର କଥା କହିଛନ୍ତି ପ୍ରଣବ । ଦେଶଭକ୍ତି ଅର୍ଥ ଦେଶ ପ୍ରତି ଆସ୍ଥା ବୋଲି କହିଛନ୍ତି ପ୍ରଣବ । ଏହା ସହ ସେ କହିଛନ୍ତି ହିନ୍ଦୁସ୍ଥାନ ଏକ ସ୍ୱତନ୍ତ୍ର ସମାଜ ଏବଂ ରାଷ୍ଟ୍ରବାଦ ସବୁ ଦେଶର ପରିଚୟ । ଭେଦଭାବ ଓ ଘୃଣା ଆମ ପରିଚୟ ପାଇଁ ବିପଦ ଏବଂ ସହନଶୀଳତା ହିଁ ଆମ ସମାଜର ଆଧାର ବୋଲି ଉଦବୋଧନରେ ମତ ରଖିଛନ୍ତି ପ୍ରଣବ ମୁଖାର୍ଜୀ । ଏକତା ହିଁ ଆମର ଶକ୍ତି ଏବଂ ଏହାକୁ ଆମେ ସମସ୍ତ ଭଲ ଭାବରେ ବୁଝିଛୁ ବୋଲି ସେ କହିଛନ୍ତି ।

pranab-mukherjee
image courtesy-http://img01.ibnlive.in

ଆରଏସ‌ଏସର ଏହି କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗଦାନକୁ ନେଇ କିଛି ଦିନ ଧରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଅନେକ କଂଗ୍ରେସ ନେତା ବିରୋଧ କରିବା ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ପ୍ରଣବ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଣବ ମୁଖାର୍ଜୀ ସ୍ୱୟଂସେବକମାନଙ୍କୁ ଶାନ୍ତି, ସଦ୍ଭାବନା ଓ ସହିଷ୍ଣୁତାର ପାଠ ପଢାଇଛନ୍ତି । ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଜାତୀୟତାବାଦ ଆକ୍ରମଣାତ୍ମକ କିମ୍ବା ଧ୍ୱଂସାତ୍ମକ ନୁହେଁ । ଭାରତର ଆତ୍ମା ବହୁବାଦ ଏବଂ ସହିଷ୍ଣୁତା ମଧ୍ୟରେ ରହିଛି ।

pranab-mukherjee-parliament-farewell-speech-
Image Courtesy : http://www.ndtv.com

ଏହା ହେଉଛି ଭାରତର ପରିଚୟ ଏବଂ ଧର୍ମନିରପେକ୍ଷତା ହେଉଛି ଆମର ଆସ୍ଥା । ଭାରତର ଶହେ କୋଟିରୁ ଊର୍ଧ୍ୱ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିନିଧି ହେଉଛି ଆମ ସମ୍ବିଧାନ । ସମାଗମ ଓ ସମ୍ମିଶ୍ରଣର ଦୀର୍ଘ ପ୍ରକ୍ରିୟା ଦ୍ୱାରା ଆମର ଜାତୀୟ ପରିଚୟ ମୁଣ୍ଡ ଟେକିଛି । ବିଭିନ୍ନ ପ୍ରକାର ସଂସ୍କୃତି ଏବଂ ବିଶ୍ୱାସ ଆମକୁ ସ୍ୱତନ୍ତ୍ର ଏବଂ ସହିଷ୍ଣୁ କରିଛି । ଜାତୀୟତା କହିଲେ ସମସ୍ତଙ୍କୁ ସାମିଲ କରିବାକୁ ବୁଝାଇଥାଏ । ଘୃଣା ଏବଂ ଅସହିଷ୍ଣୁତା ଆମ ଜାତୀୟ ପରିଚୟକୁ କ୍ଷୁର୍ଣ୍ଣ କରିବ ।