ପ୍ରଣବ ଦା’ କହିଲେ ଦେଶଭକ୍ତିର କଥା ! ଆରଏସଏସ୍ ଶିବିରରେ ସଂଘ ପ୍ରତିଷ୍ଠାତାଙ୍କୁ ପ୍ରଶାଂସା କଲେ ପୂର୍ବତନ ରାଷ୍ଟ୍ରପତି, ହେଡ୍ଗୱାରଙ୍କୁ କହିଲେ ଭାରତମାତାଙ୍କ ସୁଯୋଗ୍ୟ ସନ୍ତାନ

56

କନକ ବ୍ୟୁରୋ : ସବୁ ବାଦ ବିବାଦକୁ ପଛରେ ପକାଇ ସଂଘ ଶିବିରରେ ପହଁଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି । ନାଗପୁର ସ୍ଥିତ ଆରଏସଏସ ମୁଖ୍ୟାଳୟରେ ସଂଘ ଶିକ୍ଷା ବର୍ଗ ତୃତୀୟ ବର୍ଷର ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଣବ ମୁଖାର୍ଜି । କଂଗ୍ରେସ ନେତୃବୃନ୍ଦଙ୍କ ବାରମ୍ବାର ନିବେଦନକୁ ଭ୍ରୁକ୍ଷେପ ନକରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି । ୫୦ ବର୍ଷ ଧରି କଂଗ୍ରେସ ରାଜନୀତିରେ ପ୍ରମୁଖ ଭୂମିକା ତୁଲାଉଥିବା ପ୍ରଣବ ମୁଖାର୍ଜି ଏହି କାର୍ଯ୍ୟକ୍ରମରେ କ’ଣ କହିବେ, ଏହା ଉପରେ କଳ୍ପନା ଜଳ୍ପନା ଲାଗି ରହିଥିଲା ।

ଆଦର୍ଶଗତ କାରଣରୁ କଂଗ୍ରେସ ଓ ବିଜେପି ଭିତରେ ଯେଉଁ ତଫାତ୍ ରହିଛି, ଆରଏସଏସ୍ ଏବଂ ତାଙ୍କ ବିରୋଧୀଙ୍କ ଭିତରେ ଯେଉଁ ମତପାର୍ଥକ୍ୟ ରଖିଛି, ଏହି ସବୁ କଥାକୁ ଖାକି ପୋଷାକରେ ଥିବା ସ୍ୱୟଂ ସେବକଙ୍କ ଆଗରେ ପ୍ରକାଶ କଲା ବେଳେ ସାରା ଦେଶ ଚାହିଁ ରହିଥିଲା ଯେ ପ୍ରକୃତରେ ପ୍ରଣବ କଣ କହିବେ । ପ୍ରଣବ ମୁର୍ଖାଜୀ ସେଇଆ କହିଲେ ଯାହା ଆରଏସଏସ୍ ତତ୍ୱର ପୂର୍ଣ୍ଣ ବିରୋଧୀ । ସଂଘ ଶିବିରରେ ପହଞ୍ଚିବା ପରେ ପ୍ରଣବ ନିଜର ବିଚାରଧାରା ବାଣ୍ଟିଥିଲେ ।

ପ୍ରଣବଙ୍କ କହିବା ଅନୁଯାୟୀ, ହିନ୍ଦୁଧର୍ମ ହେଉଛି ଏକ ଉଦାର ଧର୍ମ । ବିଦେଶୀରୁ ଆସିଥିବା ପର୍ଯ୍ୟଟନ ହୁଏନସାନ୍ ଏବଂ ଫାୟାନ ମଧ୍ୟ ହିନ୍ଦୁ ଧର୍ମ କଥା କହିଛନ୍ତି । ରାଷ୍ଟ୍ରବାଦ କୌଣସି ଧର୍ମ ବା ବିଚାରଧାରାକୁ ଆଧାର କରେ ନାହିଁ । ଆମ ଦେଶକୁ ଯଦି ଧର୍ମ ବା ଭୁଖଣ୍ଡ ଭିତିରେ ଦେଖାଯିବ ତାହେଲେ ଏଦେଶର ପରିଚୟ ହଜି ଯିବ । ବହୁ ବିଚାରଧାରା ତଥା ବିଭିନ୍ନତା ଭିତରୁ ଭାରତ ତିଆରି ହୋଇଛି । ଆଉ ଭାରତର ଆତ୍ମା ଏହି ବିଭିଧତା ଭିତରେ ରହିଛି । ବର୍ଷ ବର୍ଷ ଧରି ବିଭିନ୍ନ ବିଚାରଧାରା ଏଦେଶକୁ ପରିପୃଷ୍ଠ କରିଛନ୍ତି । ଏପରିକି ଭେଦଭାବ ଓ ଘୃଣା ଆମ ପରିଚୟ ପାଇଁ ବିପଦ । ଲୋକଙ୍କ ହିତକୁ ଦୃଷ୍ଟି ଦେବାକୁ ପଡ଼ିବ । ଶାନ୍ତି ପାଇଁ ଆମକୁ ଆହୁରି ଅନେକ ବାଟ ଯିବାକୁ ପଡ଼ିବ । ହିନ୍ଦୁ ରାଷ୍ଟ୍ରର କଥା କହୁଥିବା ଆରଏସଏସ୍, ରାଷ୍ଟ୍ରବାଦର କଥା କହୁଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନର ତତ୍ୱ ଯେତେବେଳେ ସାରା ଦେଶରେ ବାୟୁମଣ୍ଡଳରେ ପ୍ରଚାର କରାଯାଉଛି । ସେତେବେଳେ ପ୍ରଣବ ମୁଖାର୍ଜୀ ହିନ୍ଦୁରାଷ୍ଟ୍ରବାଦ କଥା ନକହି-ବିଭିନ୍ନତାର କଥା କହୁଛନ୍ତି ।

ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ଝିଅ ସର୍ମିଷ୍ଟା ଟ୍ୱିଟ୍ କରି ବାପାଙ୍କ ଆରଏସଏସ୍ ଶିବିର ଯିବାକୁ ବିରୋଧ କରିଥିଲେ । ସର୍ମିଷ୍ଟା କହିଥିଲେ-ତୁମେ ସେଠି କଣ କହିଥିଲ । ତାହା ଗୁରୁତ୍ୱପୂର୍ଣ ହେବ ନାହିଁ । ଆରଏସଏସ୍ ଶିବିରରେ ତୁମର ଭିଡିଓକୁ ବହୁ ଅର୍ଥରେ ପ୍ରଚାର କରାଯିବ । ଯେଉଁ ଆରଏସଏସ୍ ବିରୁଦ୍ଧରେ କଂଗ୍ରେସ ଏବଂ ବାମପନ୍ଥୀମାନେ ପ୍ରଚାର କରୁଛନ୍ତି । ରାଷ୍ଟ୍ରବାଦ ନାଁରେ ଦେଶର ଏକତାକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଆରଏସଏସ୍ ଚାହୁଁଛି ବୋଲି ଅଭିଯୋଗ ଆସୁଛି । ଧର୍ମନିରପେକ୍ଷ ବଦଳରେ ହିନ୍ଦୁରାଷ୍ଟ ପ୍ରତିଷ୍ଟା ଆରଏସଏସ୍ର ଲକ୍ଷ୍ୟ ବୋଲି ପ୍ରଚାର ହେଉଛି । ସେହିଭଳି ଏକ ସ୍ଥାନରୁ, ଯେଉଁଠି ହିନ୍ଦୁବାଦର ମୁଳଦୂଆ ପଡ଼ିଛି ସେହି ସ୍ଥାନରେ ପ୍ରଣବ ମୁଖାର୍ଜୀଙ୍କ ମନ୍ତବ୍ୟ ଏକ ବଡ ବାର୍ତାର ରଖୁଛି । ଏବେ ସାରା ଦେଶ ବିତର୍କ କରୁଛି ପ୍ରଣବ ମୁଖାର୍ଜୀ, ଆରଏସଏସ୍ ଶିବିରକୁ ଯାଇ ସେ ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି ।